ଦ୍ୱିତୀୟ ଦିନିକିଆରେ ବି ହାରିଲା ଭାରତ, ଅଷ୍ଟ୍ରେଲିଆ ସିରିଜ୍ ବିଜୟୀ | News Room Odisha

ଦ୍ୱିତୀୟ ଦିନିକିଆରେ ବି ହାରିଲା ଭାରତ, ଅଷ୍ଟ୍ରେଲିଆ ସିରିଜ୍ ବିଜୟୀ

ସିଡନୀ – ବୋଲରଙ୍କ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ ଭାରତକୁ ମହଙ୍ଗା ପଡିଛି । ରବିବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୫୧ ରନରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି । ଏଥିସହ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ପରୀକ୍ଷାରେ ଟିମ୍ ଇଣ୍ଡିଆ ଫେଲ୍ ମାରିଛି । କ୍ରମାଗତ ଦୁଇଟି ବିଜୟ ସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ସିରିଜକୁ ଆଗୁଆ କବ୍‌ଜା କରିନେଇଛି । ଷ୍ଟିଭ୍ ସ୍ମିଥ୍ ସିରିଜରେ କ୍ରମାଗତ ଦ୍ୱିତୀୟ ଶତକ ସହ ଭାରତ ପାଇଁ ପୁଣି କଣ୍ଟା ସାଜିଥିଲା ବେଳେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୮୯ ରନର ବିଶାଳ ସ୍କୋର କରିଥିଲା । ସ୍ମିଥ୍ ତାଙ୍କ ଜବରଦସ୍ତ ଫର୍ମ ଜାରି ରଖି ପୁଣି ଏକ ଶତକୀୟ ଇନିଂସ୍ ଖେଳିଥିଲେ । ସେ ମାତ୍ର ୬୪ ବଲରେ ୧୪ଟି ଚୌକା ଓ ୨ଟି ଛକା ସହ ୧୦୪ ରନ୍ କରିଥିଲେ । ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ୮୩, ଆରୋନ୍ ଫିଞ୍ଚ୍ ୬୦, ମାର୍ନସ ଲାବୁସେନ୍ ୭୦ ଏବଂ ଶେଷ ଆଡକୁ ଗ୍ଲେନ ମ୍ୟାକ୍ସୱେଲ ଧୂଆଁଧାର ୬୩ ରନର ଅପରାଜିତ ଇନିଂସ୍ ଖେଳିଥିଲେ । ପ୍ରଥମ ଦିନିକିଆ ଭଳି ଏହି ମ୍ୟାଚରେ ବି ଭାରତୀୟ ବୋଲର ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

୩୯୦ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ବି ୯ ୱିକେଟ୍ ହରାଇ ୩୩୮ ରନ୍ କରିବାକୁ ସମର୍ଥ ହୋଇଥିଲା ।

ଭାରତ ତରଫରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୮୯ ରନ୍ କରିଥିଲେ । ଉପଅଧିନାୟକ କେଏଲ ରାହୁଲ ୭୬ ରନ୍ କରିଥିବାବେଳେ ଶ୍ରେୟସ ଆୟର ୩୮, ଶିଖର ଧାୱନ ୩୦, ମୟଙ୍କ ଅଗ୍ରୱାଲ ୨୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୩ଟି ୱିକେଟ୍ ନେଇଥିବାବେଳେ ଜୋସ ହାଜଲଉଡ୍ ଓ ଆଡାମ ଜାମ୍ପା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ସିରିଜରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ମିଥ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।