ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ଏକ ବହୁତଳ କୋଠାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ଦିଲ୍ଲୀ ଡେପୁଟି କମିଶନର (ଡିସିପି) ସମୀର ଶର୍ମା ସୂଚନା ଅନୁଯାୟୀ ଆହତମାନଙ୍କୁ ସଞ୍ଜୟ ଗାନ୍ଧୀ ଏବଂ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠାର ମାଲିକ ଫେରାର ହୋଇଯାଇଛନ୍ତି ।

ଶୁକ୍ରବାର ରାତିରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ।ପୁଲିସ୍‌ ସୂଚନା ମୁତାବକ , ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନସ୍ଥିତ ଏକ ବହୁତଳ କୋଠାର ପ୍ରଥମ ମହଲାରେ ଗତକାଲି ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ଏହି ବିଲଡିଂରେ ମୁଖ୍ୟତଃ ବିଭିନ୍ନ ଅଫିସର କାର୍ଯ୍ୟାଳୟ ରହିଛି। ନିଆଁ ଆଖି ପିଛୁଳାକେ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ବିଲଡିଂରୁ ବାହାରିବାକୁ ଗୋଟିଏ ସିଡି ଥିବାରୁ ଉକ୍ତ ବାଟ ଦେଇ ସମସ୍ତେ ବାହାରିବା ସମ୍ଭବପର ହୋଇ ନ ଥିଲା। ଏଥିସହ ବିଲଡିଂର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି।

ସଞ୍ଜୟ ଗାନ୍ଧୀ ଗାନ୍ଧୀ ମେମୋରିଆଲ ହସ୍ପିଟାଲ ଭିତରେ ସ୍ଥାପନ ହେଲ୍ପ ଡେସ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୧୯ ଜଣ ନିଖୋଜ ଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୪ ଜଣ ପୁରୁଷ ଏବଂ ୧୫ ଜଣ ମହିଳା ଅଛନ୍ତି |

ଦିଲ୍ଲୀର ଉପ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁନୀଲ ଚୌଧୁରୀଙ୍କ ଅନୁଯାୟୀ କୋଠାରୁ ୨୭ ଟି ମୃତଦେହ ଉଦ୍ଧାର କରାଯାଇଛି।

ଏଥିସହିତ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି, “କୋଠାର ଦ୍ୱିତୀୟ ମହଲାରୁ ଅଧିକାଂଶ ମୃତଦେହ ଉଦ୍ଧାର କରାଯାଇଛି। ପ୍ରଥମ ମହଲାରେ ନିଆଁକୁ ଲିଭାଯାଇଛି। ” ତେବେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିବା ପାଇଁ ଅତିକମରେ ୬ ଘଣ୍ଟା ସମୟ ଲାଗିପାରେ |

ଏନଡିଆରଏଫ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଶନିବାର ସକାଳେ ଏନଡିଆରଏଫ ଟିମ୍ କୋଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି |

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୋଦି ଘୋଷଣା କରିଛନ୍ତି ।

Comments are closed.