ବୁଧବାର ତୃତୀୟ ଦିନିକିଆ: କ୍ଲିନ ସୁଇପ୍ ଏଡାଇବା ଲକ୍ଷ୍ୟରେ ଭାରତ | News Room Odisha

ବୁଧବାର ତୃତୀୟ ଦିନିକିଆ: କ୍ଲିନ ସୁଇପ୍ ଏଡାଇବା ଲକ୍ଷ୍ୟରେ ଭାରତ

କାନବେରା: ପ୍ରଥମ ଦୁଇଟି ମ୍ୟାଚରେ ପ୍ରଭାବହୀନ ପ୍ରଦର୍ଶନ ପରେ ଭାରତ ବୁଧବାର ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିିକିଆରେ ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇବ । ସିରିଜ ହାତରୁ ଯାଇଥିବାବେଳେ ଭାରତ ନିଜ ବୋଲିଂ ବିଭାଗରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ଏହାଛଡ଼ା କ୍ରମାଗତ ଦ୍ୱିତୀୟ କ୍ଲିନ୍ ସୁଇପ ଏଡାଇବା ମଧ୍ୟ ବିରାଟ ବାହିନୀର ଲକ୍ଷ୍ୟ ରହିବ । ଯଦି ଭାରତ ୦-୩ରେ ସିରିଜ୍ ହାରିଯାଏ, ତେବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦଳ ଏକ ଦିନିକିଆ ସିରିଜରେ ମୂଳପୋଛ ହେବ । ଏହା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ଠାରୁ ବି ଭାରତ ୦-୩ରେ ସିରିଜ ହାରିଥିଲା ।

ଶେଷ ଦିନିକିଆ ଜିତି କ୍ଲିନ ସୁଇପ୍ ଏଡାଇବାକୁ ଦଳ ପ୍ରତିବଦ୍ଧ ବୋଲି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟାର କହିଛନ୍ତି ।

ପ୍ରଥମ ଦୁଇଟି ଦିନିକିଆ ହାଇସ୍କୋରିଂ ଥିଲା । କିନ୍ତୁ ଦୁଇଟି ଯାକ ଦିନିକିଆରେ ରନ୍‌୍ ର ପାହାଡ଼ରେ ବିରାଟ ବାହିନୀକୁ ଦାବିଦେଇଥିଲା ଅଷ୍ଟ୍ରେଲୀୟ ଦଳ । ଟି୨୦ ସିରିଜ୍ ପୂର୍ବରୁ ବିରାଟ ବାହିନୀ ଯଦି କାନବେରାର ସୌନ୍ଦର୍ଯ୍ୟଭରା ମାନୁକା ଓଭାଲ ଗ୍ରାଉଣ୍ଡରେ ଶେଷ ଦିନିକିଆ ଜିତେ, ତେବେ ଏହା ଦଳର ମନୋବଳ ବଢାଇବ ।

ପ୍ରଥମ ଦୁଇଟି ଦିନିକିଆରେ ତାଙ୍କ ଦଳ ସବୁ ବିଭାଗରେ ଫେଲ ମାରିଥିଲା ବୋଲି କୋହଲି ମାନିଥିଲେ । ଦିଗହରା ଅଭିଯାନକୁ ପୁଣି ଟ୍ରାକକୁ ଆଣିବା ପାଇଁ ଏବେ ଦଳକୁ କିଛି ସଠିକ ପଦକ୍ଷେପ ନେବାକୁ ପଡିବ । ପ୍ରଥମ ଥର ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ଯୁବ ପେସର ନବଦୀପ ସାଇନିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତାଙ୍କର ପ୍ରଭାବହୀନ ପ୍ରଦର୍ଶନ ଯୋଗୁଁ କୋହଲି ଦ୍ୱିତୀୟ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ୪ ଓଭର ବୋଲିଂ କରାଇବାକୁ ବାଧ୍ୟ ହୋଇଥିଲେ । ଅଣ୍ଟା ସମସ୍ୟା ପରଠୁ ପ୍ରଥମ ଥର ପାଣ୍ଡ୍ୟା ବୋଲିଂ କରିଥିଲେ । ଉକ୍ତ ମ୍ୟାଚରେ ସାଇନି ୭ ଓଭରରେ ୭୦ ରନ୍ ବ୍ୟୟ କରିଥିଲେ । ତୃତୀୟ ଦିନିକିଆରେ ସାଇନିଙ୍କ ବଦଳରେ ଅପେକ୍ଷାକୃତ ଅଭିଜ୍ଞ ଶାର୍ଦ୍ଦୁଲ ଠାକୁର କିମ୍ବା ଭାରତର ନୂଆ ‘ୟର୍କର ସେନସେସନ’ ଟି.ନଟରାଜନ ଖେଳିପାରନ୍ତି । ଯଦି ନଟରାଜନଙ୍କୁ ସୁଯୋଗ ମିଳେ, ତେବେ ଏହା ତାଙ୍କର ଅନ୍ତର୍ଜାତୀୟ ପଦାର୍ପଣ ହେବ । ଯଦି କୋହଲି ଭାରତର ଦୁଇ ପ୍ରମୁଖ ବୋଲର ସାମି ଓ ବୁମରାଙ୍କୁ ବିଶ୍ରାମ ଦିଅନ୍ତି, ତେବେ ଉଭୟ ଶାର୍ଦ୍ଦୁଲ ଓ ନଟରାଜନଙ୍କୁ ସୁଯୋଗ ମିଳିବ ।