ମରୋକ୍କୋରେ ଭୟଙ୍କର ଭୂକମ୍ପ, ୨୯୬ ମୃତ

ରଓ୍ବାତ: ଭୟଙ୍କର ଭୂମିକମ୍ପରେ ଥରିଲା ମରୋକ୍କୋ। ଶୁକ୍ରବାର ରାତିରେ ମରୋକ୍କୋରେ ଶକ୍ତିଶାଳୀ ଭୂକମ୍ପରେ ଅତି କମରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସମୟ ରାତି ୧୧:୧୧ ରେ ଏହି ଭୂକମ୍ପ ଘଟିଥିଲା । ମାରାକେଶ ଥିଲା ଏହାର କେନ୍ଦ୍ରସ୍ଥଳ । ଭୂକମ୍ପରେ ମରୋକ୍କୋ ଉପକୂଳବର୍ତ୍ତୀ ସହର ରଓ୍ବାତ, କାସାବ୍ଲାଙ୍କା ଏବଂ ଏସାଉଇରା ଅଧିକ ପ୍ରଭାବିତ ହୋଇଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓ ଗୁଡିକରୁ ଭୂକମ୍ପ କେତେ ଭୟଙ୍କର ଥିଲା ତାହା ଜଣାପଡ଼ୁଛି । ଭିଡିଓ ଗୁଡିକରେ ଚାରିଆଡେ ଧ୍ବଂସର ଦୃଶ୍ୟ ଦେଖିବାକୁ ମିଳୁଛି |

ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ଅନେକ ଲୋକ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି । ଆଫ୍ରିକୀୟ ଏବଂ ୟୁରେସିଆନ୍ ପ୍ଲେଟ୍ ମଧ୍ୟରେ ରହିଥିବା ଯୋଗୁଁ ମରୋକ୍କୋର ଉତ୍ତର ଅଞ୍ଚଳରେ ନିୟମିତ ବ୍ୟବଧାନରେ ଭୂକମ୍ପ ଘଟିଥାଏ | ୨୦୦୪ରେ ଦେଶର ଅଲ ହୋସିମାରେ ଆସିଥିବା ଭୂକମ୍ପରେ ଅତି କମରେ ୬୦୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ।

Comments are closed.