ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଲା ଭାରତ, ୧-୦ରେ ଜିତିଲା ସିରିଜ୍‌

ମୁମ୍ବାଇ – ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଭାରତ । ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡର ଅସମାପ୍ତ ଦ୍ୱିତୀୟ ଇନିଂସର ଶୀଘ୍ର ପରିସମାପ୍ତି କରିଛନ୍ତି । ନ୍ୟୁଜିଲାଣ୍ଡର ଦ୍ୱିତୀୟ ଇନିଂସ ମାତ୍ର ୧୬୨ ରନରେ ଶେଷ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ଆଜି ଅସମାପ୍ତ ଦ୍ୱିତୀୟ ଇନିଂସ ୫ ୱିକେଟରେ ୧୪୦ ରନରୁ ଖେଳିବା ଆରମ୍ଭ କରିଥିଲା । ହେଲେ ଜୟନ୍ତ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ଭ୍ରମଣକାରୀ ଦଳର ଇନିଂସର ଶୀଘ୍ର ପତନ ଘଟାଇଥିଲେ । ନ୍ୟୁଜିଲାଣ୍ଡ ଆଜି ଆଉ ମାତ୍ର ୨୨ ରନ୍ ହିଁ ଯୋଡି ପାରିଥିଲା । ଭାରତ ପକ୍ଷରୁ ଅଶ୍ୱିନ ଓ ଜୟନ୍ତ ଯାଦବ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତ ପ୍ରଥମ ଇନିଂସରେ ୩୨୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୬୨ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ଫଲୋଅନ ନ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୭ ୱିକେଟରେ ୨୭୬ ରନ୍ କରି ଇନିଂସ ସମାପ୍ତି ଘୋଷଣା କରିଥିଲା ।

ମୁମ୍ବାଇ ଟେଷ୍ଟ ଜିତି ଭାରତ ୧-୦ରେ ସିରିଜ ଜିତିଛି । କାନପୁରରେ ଖେଳାଯାଇଥିଲା ପ୍ରଥମ ଟେଷ୍ଟ ଡ୍ର ରହିଥିଲା । ମୁମ୍ବାଇ ଟେଷ୍ଟ ନ୍ୟୁଜିଲାଣ୍ଡର ଭାରତ ଜନ୍ମିତ ସ୍ପିନର ଏଜାଜ ପଟେଲ ପାଇଁ ସ୍ମରଣୀୟ ରହିବ । ଏହି ଟେଷ୍ଟରେ ଭାରତର ପ୍ରଥମ ଇନିଂସରେ ଏଜାଜ ପଟେଲ ସମସ୍ତ ୧୦ଟି ୱିକେଟ ନେଇଥିଲେ । ଏହି କୃତିତ୍ୱ ହାସଲ କରିବାରେ ପଟେଲ ବିଶ୍ୱର ମାତ୍ର ତୃତୀୟ ବୋଲର ହୋଇଛନ୍ତି । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନରେ ଅଲଆଉଟ ହୋଇଯାଇଥିଲା,ଯାହା କି ଭାରତ ବିରୋଧରେ ଦଳର ସର୍ବନିମ୍ନ ଟେଷ୍ଟ ସ୍କୋର ।

Comments are closed.