ମଧ୍ୟ ପ୍ରଦେଶ: ଶିକାରୀଙ୍କ ଗୁଳିରେ ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଗୁନା: ମଧ୍ୟପ୍ରଦେଶର ଗୁନାରେ ଶିକାରୀଙ୍କ ଗୁଳିରେ ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଗୁନା ଜିଲ୍ଲାର ଆରୋନ ଜଙ୍ଗଲରେ ଏହି ଘଟଣା ଘଟିଛି । ୪ଟି କୃଷ୍ଣସାର ମୃଗ ଏବଂ ଗୋଟିଏ ମୟୂର ଶିକାର କରି ଫେରୁଥିବା ବେଳେ ଶିକାରୀଙ୍କ ସହ ପୋଲିସର ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ସବ୍-ଇନ୍ସପେକ୍ଟର ରାଜକୁମାର ଜାଟଭ, ହେଡ୍ କନଷ୍ଟେବଳ ସନ୍ଥରାମ ମୀନା ଏବଂ କନଷ୍ଟେବଳ ନୀରଜ ଭାର୍ଗଭଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁନା ଏସପି ରାଜୀବ ମିଶ୍ର ଏହି ସୂଚନା ଦେଇଛନ୍ତି। ଗୁଳି ବିନିମୟରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସହିଦ୍ ପୋଲିସ କର୍ମଚାରୀଙ୍କ ପରିବାରଙ୍କ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି | ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ମଧ୍ୟ ପ୍ରଦେଶରେ କୃଷ୍ଣସାର ମୃଗ ଓ ଜାତୀୟ ପକ୍ଷୀ ମୟୂର ଶିକାର କରିବା ସମ୍ପୂର୍ଣ୍ଣ ନିଷେଧ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏହି ଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ଶିକାର ଜାରି ରହିଛି |

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି। ଗୁନାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସିଏମ ଶିବରାଜଙ୍କ ତରଫରୁ ଆହୂତ ବୈଠକରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଗୁନା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

Comments are closed.