କେସିଆରଙ୍କୁ ଝଟକା, ପୂର୍ବତନ ମନ୍ତ୍ରୀ, ବିଧାୟକଙ୍କ ସହ କଂଗ୍ରେସରେ ଯୋଗଦେଲେ ବିଆରଏସର ୩୫ ନେତା | News Room Odisha

କେସିଆରଙ୍କୁ ଝଟକା, ପୂର୍ବତନ ମନ୍ତ୍ରୀ, ବିଧାୟକଙ୍କ ସହ କଂଗ୍ରେସରେ ଯୋଗଦେଲେ ବିଆରଏସର ୩୫ ନେତା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଦଳ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି)ର ଅନେକ ନେତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ ସାଂସଦ ପଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପାଲୀ କ୍ରିଷ୍ଣା ରାଓଙ୍କ ସହ ପ୍ରାୟ ୩୫ ଜଣ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି ।

କଂଗ୍ରେସ ଦଳର ସୂଚନା ଅନୁଯାୟୀ ତେଲେଙ୍ଗାନାର ପିଏସ୍ ରେଡ୍ଡୀ ଏବଂ କ୍ରିଷ୍ଣା ରାଓଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଗୁରୁନାଥ ରେଡ୍ଡୀ, ପୂର୍ବତନ ବିଧାୟକ ତଥା ଜିଲା ପରିଷଦ ସଭାପତି କୋରାମ କନକୈୟା, ପୂର୍ବତନ ବିଧାୟକ ପାୟମ ଭେଙ୍କଟେଶ୍ୱରଲୁ, ପୂର୍ବତନ ଡିସିସିବି ଅଧ୍ୟକ୍ଷ ବିଜୟ ବେବି, ପୂର୍ବତନ ଏସସି ନିଗମର ଅଧ୍ୟକ୍ଷ ପିଦାମାର୍ଥୀ ରବି, ବର୍ତ୍ତମାନର ଡିସିସିବି ସଭାପତି ଥଲୁରି ବ୍ରହ୍ମୈୟା, ବର୍ତ୍ତମାନର ମାର୍କଫେଡ୍ ରାଜ୍ୟ ଉପାଧ୍ୟକ୍ଷ ବୋରା ରାଜଶେଖର, ବାର୍ୟା ପୌରପାଳିକା ଅଧ୍ୟକ୍ଷ ଏସ୍ ଜୟପାଲ ଏବଂ ଆହୁରି ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ, ଦଳର ତେଲେଙ୍ଗାନା ଦାୟିତ୍ୱରେ ଥିବା ମାଣିକରାଓ ଠାକରେ ଏବଂ ରାଜ୍ୟ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।

କାମାମ ଲୋକସଭାର ପୂର୍ବତନ ସାଂସଦ ପଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ ତେଲେଙ୍ଗାନା ରାଜନୀତିର ଜଣେ ଜଣାଶୁଣା ଚେହେରା। ସେ ଓ୍ବାଇଏସ୍ଆର କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଜିତିଥିଲେ। ଏହା ପରେ ସେ କେସିଆର ପାର୍ଟିରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ କ୍ରିଷ୍ଣା ରାଓ ତେଲେଙ୍ଗାନାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ଏହି ଦୁଇ ନେତା କିଛି ସମୟ ପାଇଁ ବିଆରଏସ ନେତୃତ୍ବ ପ୍ରତି ଅସନ୍ତୁଷ୍ଟ ଥିଲେ ଏବଂ ଦଳ ସେମାନଙ୍କୁ ନିଲମ୍ବିତ କରିଥିଲା।