ସରିଲା ପାଇପ୍ ବିଛା କାମ, ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ୪୧ ଶ୍ରମିକ

ନୂଆଦିଲ୍ଲୀ: ଗତ ୧୭ ଦିନ ଧରି ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକ ଶେଷରେ ଆଲୋକ ଦେଖିବାକୁ ଯାଉଛନ୍ତି। ଶ୍ରମିକଙ୍କ ଅତି ନିକଟରେ ପହଞ୍ଚି ଯାଇଛନ୍ତି ଉଦ୍ଧାରକାରୀ ଟିମ୍ । ଡ୍ରିଲିଂ ସହ ପାଇପ୍ ବିଛା କାମ ଶେଷ ହୋଇଛି । ଖୁବ୍ ଶୀଘ୍ର ଶ୍ରମିକ ମାନଙ୍କୁ ବାହାର କରାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର‌ ସିଂହ ଧାମି ଟ୍ୱିଟ୍ କରି କହିଛନ୍ତି । ଆମ୍ବୁଲାନ୍ସ ଓ ଡ଼ାକ୍ତର ଟିମ୍ ମଧ୍ୟ ଟନେଲ୍ ନିକଟରେ ପହଞ୍ଚି ଯାଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବା ସମ୍ଭାବନା ରହିଛି ।

ଆମେରିକୀୟ ଅଗର୍ ମେସିନ୍ ଭାଙ୍ଗିବା ପରେ ବର୍ତ୍ତମାନ ହାତରେ ଡ୍ରିଲିଂ କାର୍ଯ୍ୟ ଚାଲିଛି | ସିଲକ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଆଉ ମାତ୍ର ୩ ମିଟର ଡ୍ରିଲିଂ ବାକି ଅଛି | ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀଙ୍କ କହିବା ଅନୁସାରେ ସମସ୍ତ ଶ୍ରମିକଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ନିରାପଦରେ ବାହାର କରାଯାଇପାରେ ।

ର଼୍ୟାଟ୍ ହୋଲ୍ ମାଇନିଂ ବିଶେଷଜ୍ଞଙ୍କ ଦ୍ବାରା ଟନେଲ୍ ଭିତରେ ଖନନ ସହ ପାଇପ୍ ବିଛା ଜାରି ରହିଛି। ମାନୁଆଲ ଡ୍ରିଲିଂ ପାଇଁ ତିନୋଟି ଟିମ୍ ଗଠନ କରାଯାଇଥିଲା | ୪୮ ମିଟର ଯାଏଁ ଅଗର୍ ମେସିନ୍ ଦ୍ବାରା ଭୂସମାନ୍ତର ଡ୍ରିଲିଂ ହୋଇଥିଲା। ତେବେ ଏହାପରେ ଅଗର୍ ମେସିନର ବ୍ଲେଡ୍ ଭାଙ୍ଗି ଯିବାରୁ ର଼୍ୟାଟ୍ ହୋଲ୍ ମାଇନିଂ ବିଶେଷଜ୍ଞଙ୍କ ଦ୍ବାରା‌ ଅବଶିଷ୍ଟ ୧୨ ମିଟର ପର୍ଯ୍ୟନ୍ତ ମାନୁଏଲ୍ ଡ୍ରିଲିଂ ଗତକାଲି ଠାରୁ ଆରମ୍ଭ‌ ହୋଇଥିଲା । ଭୂସମାନ୍ତର ଡ୍ରିଲିଂ ସହ ଟନେଲ୍ ଉପରେ ମଧ୍ୟ ଭର୍ଟିକାଲ୍ ତଥା ଭୂଲମ୍ବ ଖନନ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି | ଉପରି ଭାଗରେ ୮୦ ମିଟର ମଧ୍ୟରୁ ପ୍ରାୟ ୪୪ ମିଟର ଖନନ ଶେଷ ହୋଇଛି ।

ଚାରିଧାମ ଯାତ୍ରା ମାର୍ଗରେ ନିର୍ମାଣ କରାଯାଉଥିବା ଟନେଲର ଏକ ଅଂଶ ନଭେମ୍ବର ୧୨ରେ ଭୁଶୁଡ଼ି ପଡ଼ିବାରୁ ଏଥିରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ । ସେବେଠାରୁ ବିଭିନ୍ନ ଏଜେନ୍ସି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.