ଅକ୍ସଫୋର୍ଡ ଟିକାକୁ ମିଳିଲା ସର୍ତ୍ତମୂଳକ ମଞ୍ଜୁରି

ନୂଆଦିଲ୍ଲୀ – କରୋନା ବିରୋଧୀ ଲଢ଼େଇରେ ନୂଆବର୍ଷର ପ୍ରଥମ ଦିନରେ ଆସିଛି ଏକ ବଡ଼ ଖବର । ଦେଶବ୍ୟାପୀ ଟିକାକରଣ ଡ୍ରାଏ ରନ୍‌ର ଦିନକ ପୂର୍ବରୁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗନାଇଜେସନ୍ (ସିଡିଏସ୍‌ସିଓ)ର ବିଶେଷଜ୍ଞ କମିଟି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ‘କୋଭିସିଲ୍ଡ’ ଟିକାକୁ ସର୍ତ୍ତମୂଳକ ମଞ୍ଜୁରି ପ୍ରଦାନ କରିଛି । ଏଥିସହ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ ହେବା ଆଶା ଉଜ୍ଜଳ ହୋଇଛି । ଏବେ କୋଭିଶିଲ୍ଡ ଟିକାକୁ ଭାରତୀୟ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ଙ୍କ ଚୂଡ଼ାନ୍ତ ଅନୁମୋଦନ ଆବଶ୍ୟକ । ଏହି ଔପଚାରିକତା ପୂରଣ ହେବାପରେ ଟିକାର ବ୍ୟବହାର ପଥ ପରିଷ୍କାର ହୋଇଯିବ । କୋଭିଶିଲ୍ଡ ଟିକା ସମେତ ଭାରତ ବୟୋଟେକ୍ ଦ୍ୱାରା ବିକଶିତ ‘କୋଭାକ୍ସିନ’ ଟିକାର ଆବେଦନ ଉପରେ ବିଚାର କରିବା ଲାଗି ଆଜି ବିଶେଷଜ୍ଞ କମିଟିର ବୈଠକ ବସିଥିଲା । ଏଥିରେ କେବଳ ‘କୋଭିଶିଲ୍ଡ’ ଟିକାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ବିଶ୍ୱର ତୃତୀୟ ଦେଶ ଭାବେ ଏହି ଟିକାକୁ ଭାରତ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ଦେଇଛି । ତେବେ ଭାରତରେ ମଞ୍ଜୁରି ପାଇବାରେ କୋଭିଶିଲ୍ଡ ହେଉଛି ପ୍ରଥମ ଟିକା ।

ଭରତରେ ‘କୋଭିଶିଲ୍ଡ’ ଟିକାର ପ୍ରସ୍ତୁତି ଓ ବିତରଣ ଦାୟିତ୍ୱ ବିଶ୍ୱର ସବୁଠୁ ବଡ଼ ଟିକା ନିର୍ମାତାକାରୀ କମ୍ପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)’ ନେଇଛି । ଭାରତରେ ବ୍ୟବହାର ପାଇଁ ଏସ୍‌ଆଇଆଇ ‘କୋଭିଶିଲ୍ଡ’ ଟିକାର ପାଞ୍ଚ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ପ୍ରସ୍ତୁତ କରିସାରିଥିବା ଜଣାପଡିଛି । ‘କୋଭିଶିଲ୍ଡ’କୁ ମଞ୍ଜୁରି ମିଳିଥିବା ବେଳେ ଏବେ ଭାରତ ବାୟୋଟେକ୍ ଓ ଫାଇଜର ଟିକା ମଧ୍ୟ ବିଶେଷଜ୍ଞ କମିଟିର ବଚାରାଧୀନ ରହିଛି । ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକାକୁ ନେଇ ବିଶେଷଜ୍ଞ କମିଟି ଅଧିକ ତଥ୍ୟ ମାଗିଛି । ଅନ୍ୟପଟେ ଆମେରିକୀୟ କମ୍ପାନୀ ଫାଇଜର ମଧ୍ୟ ତଥ୍ୟ ଦାଖଲ କରିବା ଲାଗି ଅଧିକ ସମୟ ମାଗିଛି ।

Comments are closed.