ପୋଲିସ ଗୁଳିରେ ମଙ୍ଗୁ ଘାଇଲା

କଟକ – ପୂଜା ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ କଟକରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଆରମ୍ଭ ହୋଇଛି ଅପରାଧୀଙ୍କୁ ଧରପଗଡ ଅଭିଯାନ । ଗତକାଲି ରାତିରେ କଟକରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଏହି ଅପରାଧୀ ଜଣକ ହେଉଛି ମନୋଜ ମହାରଣା ଓରଫ ମଙ୍ଗୁ । ମଙ୍ଗୁଙ୍କୁ ଗତକାଲି ରାତିରେ ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ମଙ୍ଗୁ ସଦର ଥାନା ଅଞ୍ଚଳରେ ଥିବା ଖବର ପାଇବା ପରେ ପୋଲିସ ରେଡ କରିଥିଲା । ପୋଲିସ ହାତରୁ ଖସିଯିବା ପାଇଁ ମଙ୍ଗୁ କନ୍ଦରପୁର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା। ବାଧ୍ୟ ହୋଇ ପୋଲିସର ପାଲଟା ଗୁଳି ଚଳାଇଥିଲା । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ଆହତ ମଙ୍ଗୁ ନାଁରେ ବିଭିନ୍ନ ଅପରାଧ ମାମଲା ର‌ହିଛି ।

କିଛି ଦିନ ତଳେ କନ୍ଦରପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାରେ ମଙ୍ଗୁ ହେଉଛି ମୁଖ୍ୟ ଅଭିଯୁକ୍ତ । ସେ ତପୁ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ। ତା ନାଁରେ ୮ଟି ଚୋରି ଡକାୟତି, ଦାଦା ବଟି ଚୋରା ବନ୍ଧୁକ କାରବାର ଆଦି ଏକାଧିକ ମାମଲା କମିଶନରେଟ ପୁଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ରହିଛି।

Comments are closed.