ପାଞ୍ଚ ରାଜ୍ୟରେ ଦେଶର ୭୦% କରୋନା ମାମଲା | News Room Odisha

ପାଞ୍ଚ ରାଜ୍ୟରେ ଦେଶର ୭୦% କରୋନା ମାମଲା

ନୂଆଦିଲ୍ଲୀ – ଗତ କିଛି ଦିନ ଧରି ଦେଶରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ମାମଲାର ୭୦% କେବଳ ପାଞ୍ଚ ରାଜ୍ୟରେ ରେକର୍ଡ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଏହି ପାଞ୍ଚ ରାଜ୍ୟ ହେଲେ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡୁ । ଭାରତରେ ଆଜି ଚିହ୍ନଟ ହୋଇଥିବା ୨୮,୯୦୩ ମାମଲା ମଧ୍ୟରୁ ୭୧.୧୦ ପ୍ରତିଶତ ମାମଲା ଏହି ପାଞ୍ଚ ରାଜ୍ୟର ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଉପରୋକ୍ତ ପାଞ୍ଚ ରାଜ୍ୟ ସହ କେରଳରୁ ପ୍ରାୟ ୮୩.୯୧ ପ୍ରତିଶତ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । କେବଳ ମହାରାଷ୍ଟ୍ରରେ ହିଁ ୬୧.୮% ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆଜି ମଧ୍ୟ ଏହି ରାଜ୍ୟରେ ଆଉ ୧୭,୮୬୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କେରଳରେ ୧୯୭୦ ମାମଲା ସାମ୍ନାକୁ ଆସିଥିବା ବେଳେ ପଞ୍ଜାବରେ ଗତ ୨୪ ଘଣ୍ଟାରେଅଶ ୧୪୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ଏକ ମାସ ଧରି କେରଳରେ ଦୈନିକ ମାମଲା ସଂଖ୍ୟା କମିବାରେ ଲାଗିଛି ।

ଦିନରେ ଆଉ ୨୮,୯୦୩ ମାମଲା ସହ ଭାରତରେ ଏବେ ମୋଟ ସକ୍ରିୟ ମାମଲା ୨.୩୪ ଲକ୍ଷକୁ ବୃଦ୍ଧି ପାଇଛି ।

COVID-19