ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ଼, ୫୦୦ ମୃତ; ପରସ୍ପରକୁ ଦାୟୀ କଲେ ଇସ୍ରାଏଲ୍ ଓ ହାମାସ୍

ଜେରୁଜେଲମ: ଇସ୍ରାଏଲ୍-ହାମାସ୍ ଯୁଦ୍ଧ ନବମ ଦିନରେ ପହଞ୍ଚିଛି। ହେଲେ ଉଭୟ ପକ୍ଷ ପଛଘୁଞ୍ଚା ଦେବାକୁ ନାରାଜ । ମଙ୍ଗଳବାର ବିଳମ୍ବିତ ରାତିରେ ଗାଜା ସହରର ଅହଲି ଆରବ ସିଟି ହସ୍ପିଟାଲରେ ରକେଟ୍ ଆକ୍ରମଣ ଯୋଗୁଁ ୫୦୦ ଲୋକଙ୍କ ମୃତ୍ୟୁ ହୋଇଛି ।‌ ଏହି ହସ୍ପିଟାଲରେ ରୋଗୀଙ୍କ ସହ ଅନେକ ଶରଣାର୍ଥୀ ମଧ୍ୟ ଆଶ୍ରୟ ନେଇଥିଲେ ।ହସ୍ପିଟାଲ ଉପରେ ଏହି ଆକ୍ରମଣ ପାଇଁ ଇସ୍ରାଏଲ୍ ଓ ହାମାସ୍ ପରସ୍ପରକୁ ଦାୟୀ କରିଛନ୍ତି । ଇସ୍ରାଏଲ ଏହି ଆକ୍ରମଣ କରିଛି ବୋଲି ହାମାସ୍ ଦାବି କରୁଛି। ତେବେ ଏହି ଆକ୍ରମଣରେ ଏହାର କୌଣସି ସମ୍ପୃକ୍ତି ନାହିଁ ବୋଲି କହିଛି ଇସ୍ରାଏଲ ।

ଇସ୍ରାଏଲ୍ ଏକ ଭିଡିଓ ଜାରି କରି କହିଛି, ହାମାସ୍ ଆତଙ୍କବାଦୀମାନେ ଡାକ୍ତରଖାନା ନିକଟରୁ ଇସ୍ରାଏଲ୍ ଉପରେ ଆକ୍ରମଣ କରୁଛନ୍ତି । ସେମାନଙ୍କ ଗୋଟିଏ ରକେଟ୍ ଲକ୍ଷ୍ୟ ଚ୍ୟୁତ ହୋଇ ଡାକ୍ତରଖାନା ଉପରେ ପଡ଼ିଥିଲା । ହାମାସର ଦାବି ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେଉଁମାନେ ଆମ ପିଲାମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି, ସେମାନେ ହିଁ ନିଜ ପିଲାମାନଙ୍କର ହତ୍ୟାକାରୀ |

ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୫୦୦୦ ଛୁଇଁଛି ‌ । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଇସ୍ରାଏଲ୍ ଆସିବେ । ସେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଅବାସଙ୍କୁ ବି ଭେଟିବାର‌ କାର୍ଯ୍ୟକ୍ରମ ଥିଲା । ହେଲେ ଗାଜା ହସ୍ପିଟାଲ ଉପରେ ଆକ୍ରମଣ ପରେ ବାଇଡେନଙ୍କ ସହ ବୈଠକକୁ ଅବାସ୍ ବାତିଲ କରିଦେଇଛନ୍ତି।

Comments are closed.