ପୂର୍ବ ଭାରତର ଅନ୍ୟତମ ପ୍ରସିଦ୍ଧ ପୀଠ ପାଲଟିବ ସମଲେଶ୍ୱରୀ ମନ୍ଦିର

ଲାଇଟ୍ ଓ ସାଉଣ୍ଡ ପ୍ରକଳ୍ପ ଶୁଭାରମ୍ଭ ଶୀଘ୍ର

୨ ମାସ ମଧ୍ୟରେ ଉନ୍ନତିକରଣ କାମ ଆରମ୍ଭ

ସମ୍ବଲପୁର: ସମଗ୍ର ପୂର୍ବ ଭାରତର ଅନ୍ୟତମ ପ୍ରସିଦ୍ଧ ପୀଠ ଭାବେ ପରିଣତ ହେବାକୁ ଯାଉଛି ଆରାଧ୍ୟ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ମନ୍ଦିରକୁ ସ୍ୱତନ୍ତ୍ର ଫୋକସରେ ରଖିଥିବା ବେଳେ ଏହାର ରୂପରେଖରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ସାରା ଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଖସଡା ଚୂଡାନ୍ତ ହୋଇସାରିଛି । ସେପଟେ , ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଲାଇଟ୍ ଏବଂ ସାଉଣ୍ଡ ପ୍ରକଳ୍ପ ମଧ୍ୟ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏଭଳି ସ୍ଥିତିରେ ଏହି ଆସ୍ଥାର କେନ୍ଦ୍ର ଏବେ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣର କେନ୍ଦ୍ର ଭାବେ ପରିଣତ ହେବାକୁ ଯାଉଛି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଚିବସ୍ତରୀୟ କମିଟି ଗସ୍ତ କରି ଏହାର ଉନ୍ନତିକରଣ କାମର ସମୀକ୍ଷା କରି ଫେରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ତତ୍ପରତା ପ୍ରକାଶ ପାଇଛି ।

ପ୍ରାୟ ୨ ବର୍ଷ ତଳୁ ସମଲେଶ୍ୱରୀ ମନ୍ଦିରରେ କୋଣାର୍କ ଏବଂ ଧଉଳି ପରି ଶବ୍ଦ ଓ ଆଲୋକ ବ୍ୟବସ୍ଥା ଆରମ୍ଭ କରିବାକୁ ସ୍ଥିର ହୋଇଥିଲା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ ସଂକ୍ରାନ୍ତରେ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ସାଢେ ୭ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା । ଏଥିରେ ମନ୍ଦିର ତଥା ସମ୍ବଲପୁରର ଗାରିମାମୟ ଇତିହାସ , ସଂସ୍କୃତିକ ବିଭବ , ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ପଶ୍ଚିମ ଓଡିଶାର ସଂସ୍କୃତିକ ଚିତ୍ରପଟକୁ ପ୍ରଦର୍ଶିତ କରିବାକୁ ଯୋଜନା ହୋଇଛି । ପୂର୍ବ ଯୋଜନା ଅନୁଯାୟୀ , ସମ୍ବଲପୁରର ଆଖପାଖର ପର୍ଯ୍ୟଟନ କେନ୍ଦ୍ରକୁ ପର୍ଯ୍ୟଟକଙ୍କୁ ବୁଲାଇବା ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍ କରିବାକୁ ଯୋଜନା ହୋଇଥିଲା । ଦିନତମାମ ପର୍ଯ୍ୟଟକ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବା ପରେ ସନ୍ଧ୍ୟାରେ ମା ସମଲେଶ୍ୱରୀଙ୍କ ଆଳତୀରେ ସାମିଲ ହେବା ସହ ପ୍ରସ୍ତାବିତ ଶବ୍ଦ ଓ ଆଲୋକ ସୋକୁ ଉପଭୋଗ କରିବେ ବୋଲି ଚିନ୍ତା କରାଯାଇଥିଲା ।

ପ୍ରତିଦିନ ପ୍ରାୟ ଅଧଘଣ୍ଟାର ଏହି ସୋରେ ଦର୍ଶକଙ୍କୁ ଏହି ଅଞ୍ଚଳ ପ୍ରତି ଅବଗତ କରିବା ସହିତ ଭରପୁର ମନୋରଞ୍ଜନ କରିବା ହେଉଛି ଏହାର ଅସଲ ଉଦ୍ଦେଶ୍ୟ । ବର୍ଷକ ତଳୁ ଏହାର ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ବେଳେ ଦିଲ୍ଲୀର ଟ୍ରାଇକଲର ଇଣ୍ଡିଆ ନାମକ ଏକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ପାଇଛି । ତେବେ , ଗତ ମାର୍ଚ୍ଚ ମାସରେ ସଂସ୍ଥା ପକ୍ଷରୁ ଏହାର ନିର୍ମାଣ ପାଇଁ କିଛି ସାମଗ୍ରୀ ଆସି ମନ୍ଦିର ପରିସରକୁ ପହଞ୍ଚିଥିଲା । ହେଲେ ଲକଡାଉନ୍ ଲାଗୁ ହେବାରୁ କାମ ଆରମ୍ଭ ହୋଇପାରିନଥିଲା ।

ତେବେ , ପ୍ରାୟ ବର୍ଷକର ବିଳମ୍ବ ପରେ ଏହାର ନିର୍ମାଣ କାମ ଗତ ନଭେମ୍ବର ୨୬ ତାରିଖରୁ ପୁଣି ଆରମ୍ଭ ହୋଇଛି । ଏଥିରେ ଉକ୍ତ ସୋ ର ପରିଚାଳନା ପାଇଁ ଏକ ନିୟନ୍ତ୍ରଣ କକ୍ଷ , ନିୟନ୍ତ୍ରଣ କକ୍ଷରୁ ସମଲେଶ୍ୱରୀ ମନ୍ଦିର ଏବଂ ହାତୀଦ୍ଵାର ପର୍ଯ୍ୟନ୍ତ ଭୂତଳ କେବୁଲ ବିଛା କାମ ସାଙ୍ଗକୁ ମନ୍ଦିର ପରିସରରେ ଲାଗିବାକୁ ଥିବା ପ୍ରାୟ ୩ରୁ ୪ଟି ପ୍ରୋଜେକ୍ଟର ସ୍କ୍ରିନ୍ ପାଇଁ କଂକ୍ରିଟ୍ ବେସମେଣ୍ଟ ଆଦି ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଖୁବ୍ ଶୀଘ୍ର ଏହି ପ୍ରକଳ୍ପ ଆରମ୍ଭ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷେ , ଲଡାଉନ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନରେ ଆସି ଏହାର ସୌନ୍ଦର୍ଯ୍ୟକରଣ ଏବଂ ପାରିପାର୍ଶିକ ବିକାଶ ପାଇଁ ଘୋଷଣା କରିଥିଲେ । ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶିକ ବିକାଶ , ଐତିହ୍ୟ କରିଡରର ବିକାଶ , ଭୋଗମଣ୍ଡପ , ଯାତ୍ରୀ ଓ ଭକ୍ତ ନିବାସ , ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ମୋଟ୍ ଉପରେ ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଏହାର ବିକାଶ ହେବ ବୋଲି ଘୋଷଣା ହୋଇଥିଲା ।

ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଆଉ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୫ ଜଣିଆ ସଚିବସ୍ତରୀୟ ପ୍ରତିନିଧି ଦଳ ୪ ଦିନ ତଳେ ଆସି ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ , ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା , ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଏବଂ ପୂର୍ତ୍ତ ସଚିବ ଡ . କ୍ରୀଷନ୍‌ କୁମାର ପ୍ରମୁଖ ସମଲେଶ୍ୱରୀ ମନ୍ଦିରକୁ ଆସିଥିଲେ । ଆଉ ୨ ମାସ ମଧ୍ୟରେ ଏହି ପ୍ରକର କାମ ଆରମ୍ଭ ହୋଇ ୨ ବର୍ଷରେ ଶେଷ ହେବ । ଏହି ବୃହତ ପ୍ରକଳ୍ପ ଦ୍ବାରା ପଶ୍ଚିମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ବିଶେଷ କରି ଏହି ପୀଠକୁ ବର୍ଷତମାମ ଆସୁଥିବା ପଡୋଶୀ ରାଜ୍ୟଗୁଡିକର ଭକ୍ତଙ୍କ ପାଇଁ ଉନ୍ନତିକରଣ ଯୋଜନାରେ ଅନେକ ସୁବିଧା କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୂତନ ଆଶାର ସଞ୍ଚାର ହୋଇଛି । ଆଉ ଏଥିପାଇଁ ସ୍ଥାନୀୟ ଲୋକେ ବି ମାଁଙ୍କ ପାଇଁ ଜମି ଛାଡିବାକୁ ପ୍ରସ୍ତୁତ ରହିଥିବା ବେଳେ ସରକାର ଏକାମ୍ର ଏବଂ ପୁରୀ ଭଳି ଆକର୍ଷଣୀୟ ପ୍ୟାକେଜ୍‌ ଦେବାକୁ ଘୋଷଣା କରିଛନ୍ତି ।

Comments are closed.