ଆଇଟି ଟାୱାର ପରିଦର୍ଶନ କଲେ ୫-ଟି ସଚିବ, ଅକ୍ଟୋବର ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ସତ୍ୟ ନଗର ସ୍ଥିତ ନୂଆ ବିଏମସି ବିଲଡିଂ ଏବଂ ‘ଓ’ ହବ୍ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଯଥାକ୍ରମେ ଡେଲଏଟ୍ ଓ ଆଇବିଏମ ଦ୍ଵାରା କାର୍ଯ୍ୟକ୍ଷମ ହେବାକୁ ଥିବା ସମୟସୀମା ମଧ୍ୟରେ ନୂଆ ଡେଭଲପମେଣ୍ଟ ସେଣ୍ଟରର ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ଵାରୋପ କରିଥିଲେ ୫-ଟି ସଚିବ । ଦୁଇ ବଡ଼ ବହୁରାଷ୍ଟ୍ରୀୟ କଂପାନୀ ଦ୍ୱାରା ଖୋଲିବାକୁ ଥିବା ଡେଭଲପମେଣ୍ଟ ସେଣ୍ଟର ଯୋଗୁଁ ଅନେକ ନିଯୁକ୍ତି ସୁଯୋଗ ଯୁବକଙ୍କ ପାଇଁ ସୃଷ୍ଟି ହେବ । ଉଭୟ ଡେଲଏଟ ଓ ଆବିଏମ ପ୍ରଥମ ଥର ପାଇଁ ଓଡ଼ିଶାରେ ନିଜର ଅପରେସନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବର୍ଷ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଉଭୟ ସେଂଟର କାର୍ଯ୍ୟକ୍ଷମ ହେବା ଲାଗି ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ୱର ସ୍ମାର୍ଟ ସିଟି କମାଣ୍ଡ ଓ କଂଟ୍ରୋଲ ସେଂଟରର ଶୀଘ୍ର କମିଶନିଂ ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ବିଲଡିଂ ଯେପରି ସର୍ବସାଧାରଣଙ୍କ ଲାଗି ଉପଯୋଗୀ ହୋଇପାରିବ, ସେଥିପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ସମେତ ସାମଗ୍ରିକ ଇକୋ ସିଷ୍ଟମ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ୫-ଟି ସଚିବ ।

‘ଓ’ ହବ୍ ର ଦ୍ୱିତୀୟ ଟାୱାର କାମ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ଇନକୁବେସନ ସେଂଟର, କୋ-ୱର୍କିଂ ସ୍ପେସ ଆଦି ପାଇଁ ଯୋଜନା ରହିଛି।

ଇନଫୋ ସିଟି ଏରିଆ ପରିଦର୍ଶନ ବେଳେ ଏକ ବହୁସ୍ତରୀୟ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ ୫-ଟି ସଚିବ ।

୫-ଟି ସଚିବଙ୍କ ଗସ୍ତ ବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ ଓ ଆଇଟି ସଚିବ ମନୋଜ ମିଶ୍ର ବିଏସସିଏଲ ଅଧ୍ୟକ୍ଷ ସଞ୍ଜୟ ସିଂହ, ବିଏମସି କମିଶନର ବିଜୟ କୁଲାଙ୍ଗେ, ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.