ଗାଜା ହସ୍ପିଟାଲ ଆକ୍ରମଣ ଘଟଣାରେ ଇସ୍ରାଏଲକୁ ବାଇଡେନଙ୍କ କ୍ଲିନଚିଟ୍ | News Room Odisha

ଗାଜା ହସ୍ପିଟାଲ ଆକ୍ରମଣ ଘଟଣାରେ ଇସ୍ରାଏଲକୁ ବାଇଡେନଙ୍କ କ୍ଲିନଚିଟ୍

ଜେରୁଜେଲମ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି ।‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବା ପରେ ଗାଜା ହସ୍ପିଟାଲ ଆକ୍ରମଣ ନେଇ ବାଇଡେନ ଇସ୍ରାଏଲକୁ କ୍ଲିନଚିଟ୍ ଦେଇଛନ୍ତି । ବାଇଡେନ୍ କହିଛନ୍ତି ଏହା ପଛରେ ଅନ୍ୟ କୌଣସି ଗୋଷ୍ଠୀ ଅଛନ୍ତି ।

ଆମେରିକାର ରାଷ୍ଟ୍ରପତି କହିଛନ୍ତି, ” ଗାଜା ହସ୍ପିଟାଲ ଆକ୍ରମଣ ନେଇ ମୁଁ ମର୍ମାହତ ଓ ଉତ୍ତ୍ୟକ୍ତ । ମୁଁ ଯାହା ଦେଖିଲି ସେଥିରୁ ଯାହା ଜଣାପଡୁଛି ଏହା ପଛରେ ଆପଣଙ୍କ (ଇସ୍ରାଏଲ୍) ହାତ ନାହିଁ ବରଂ ଅନ୍ୟ କୌଣସି ଟିମ୍ ରହିଛି । କିନ୍ତୁ ଏଭଳି ଅନେକ ଲୋକ ଅଛନ୍ତି ଯାହାଙ୍କୁ ଏହା ସ୍ପଷ୍ଟ ହୋଇନାହିଁ, ତେଣୁ ଆମକୁ ଅନେକ ଜିନିଷକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ । ”

ତେବେ ଇସ୍ରାଏଲ ପ୍ରତି “ସମବେଦନା ଜଣାଇବା” ପାଇଁ ଆମେରିକା ରାଷ୍ଟ୍ରପତି ବୁଧବାର ଆଜି ଏଠାରେ ପହଞ୍ଚିଥିଲେ।

ଆମେରିକାର ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ସେ ଜୋର୍ଡାନରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବାସ୍, ଇଜିପ୍ଟ ରାଷ୍ଟ୍ରପତି ଅବଦୁଲ ଫତାହ ଅଲ ସିସି ଏବଂ ଜୋର୍ଡାନର ରାଜାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଆରବ ଦେଶମାନେ ତାଙ୍କୁ ଭେଟିବାକୁ ମନା କରିଦେଇଛନ୍ତି । ତେଣୁ ବର୍ତ୍ତମାନ ତାଙ୍କର ଏହି ଗସ୍ତ କେବଳ ଇସ୍ରାଏଲରେ ସୀମିତ ରହିବ ।

ଗାଜା ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣକୁ ଅନେକ ଦେଶର ନେତା ନିନ୍ଦା କରିଛନ୍ତି ଏବଂ ଏହାକୁ ‘ନରସ‍‍ଂହାର’ ବୋଲି କହିଛନ୍ତି।

ପାଲେଷ୍ଟାଇନ ପ୍ରଶାସନର ରାଷ୍ଟ୍ରପତି ମହମୁଦ ଅବାସ୍ ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ଏକ ‘ଭୟଙ୍କର ଯୁଦ୍ଧ ନରସଂହାର’ ବୋଲି କହିଛନ୍ତି। ଏଥିପାଇଁ ସେ ଇସ୍ରାଏଲକୁ ଦାୟୀ କରିଛନ୍ତି । ଇସ୍ରାଏଲ ସବୁ ସୀମା ଟପିଛି ବୋଲି କହିଛନ୍ତି ଅବାସ୍ ।

ହାମାସ୍ ଆକ୍ରମଣ ପରଠାରୁ ପ୍ରତିକ୍ରିୟା ଦେବାରେ ସତର୍କତା ଅବଲମ୍ବନ କରିଥିବା ସାଉଦି ଆରବ ମଧ୍ୟ ଇସ୍ରାଏଲକୁ ଦୃଢ଼ ନିନ୍ଦା କରିଛି।

ଗାଜାର ସ୍ୱାସ୍ଥ୍ୟ ବିଭାଗ ଦାବି କରିଛି ଯେ ଗାଜାର ଅଲ ଅହଲି ହସ୍ପିଟାଲରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାୟ ୫୦୦ ଲୋକଙ୍କର ମୃତ୍ୟୁ ହୋଇଛି।