ଘରୋଇ ହସ୍ପିଟାଲ ପାଇଁ କୋଭିଡ୍ ଟିକା ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଡୋଜ୍ ପିଛା ଲାଗିବ ୨୫୦ ଟଙ୍କା

ନୂଆଦିଲ୍ଲୀ – ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ଦର ଧାର୍ଯ୍ୟ କରିଛନ୍ତି ସରକାର । ସର୍ଭିସ୍ ଚାର୍ଜ ସହ ଟିକା ଡୋଜ୍ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଏହା ଆଜି ସ୍ପଷ୍ଟ କରାଯାଇଛି ।

ଭାରତରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଲଗାଯାଇଥିଲା । ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ।

ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସହ ବିଭିନ୍ନ ଦୁରାରୋଗରେ ପୀଡିତ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ମଧ୍ୟ ଟିକା ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ମାଗଣା ଦିଆଯିବ । କିନ୍ତୁ ଘରୋଇ ହସ୍ପିଟାଲରେ ଟିକା ପାଇଁ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ହେବ ।

Comments are closed.