ବ୍ରିଟେନକୁ ବିମାନ ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ – କରୋନାର ନୂଆ ଷ୍ଟ୍ରେନ୍ ଠାବ ହେବା ପରେ ବ୍ରିଟେନକୁ ସବୁ ପ୍ରକାର ବିମାନ ସେବା ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଏହି କଟକଣା ଡିସେମ୍ବର ୨୩ ରୁ ୩୧ ତାରିଖ ରାତି ୧୧:୫୯ ଯାଏଁ ଲାଗୁ ହେବ ।

ବେସାମରିକ ବିମାନ ମନ୍ତ୍ରାଳୟ ତରଫରୁ ସେମାବାର ଏନେଇ ସୂଚନା ଦିଆଯାଇଛି । ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଦ୍ରୁତ ବେଗରେ ବ୍ୟାପୁଛି । ଏଥିପାଇଁ ବ୍ରିଟେନକୁ ବିମାନ ସେବା ଉପରେ ଅନେକ ଦେଶ କଟକଣା ଲଗାଇଛନ୍ତି ।

ନୂଆ କୋଭିଡ୍‌-୧୯ ଷ୍ଟ୍ରେନ୍ ଯୋଗୁଁ ବ୍ରିଟେନରେ ସ୍ଥିତି ହଠାତ୍ ଅଣାୟତ୍ତ ହୋଇଯିବା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ରାଜଧାନୀ ଲଣ୍ଡନ ସମେତ ଦକ୍ଷିଣପୂର୍ବ ଇଂଲଣ୍ଡରେ ପୁଣିଥରେ ଲକଡାଉନ୍ ସହ କଟକଣା କଡ଼ାକଡ଼ି କରିଛନ୍ତି । ସବୁ ଦୋକାନ ବଜାର ବନ୍ଦ କରାଯାଇଛି ।

ବ୍ରିଟେନରେ ମିଳିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ନେଇ ଆତଙ୍କିତ ନ ହେବାକୁ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ଭାରତ ସରକାର ଏନେଇ ସତର୍କ ଅଛନ୍ତି ବୋଲି ସେ କହିଛନ୍ତି ।

Comments are closed.