ଫୁଡ୍ ପଏଜନିଂ ଯୋଗୁଁ 'ଭାରତ ଗୌରବ' ଟ୍ରେନର ୯୦ ଯାତ୍ରୀ ଅସୁସ୍ଥ | News Room Odisha

ଫୁଡ୍ ପଏଜନିଂ ଯୋଗୁଁ ‘ଭାରତ ଗୌରବ’ ଟ୍ରେନର ୯୦ ଯାତ୍ରୀ ଅସୁସ୍ଥ

ପୁଣେ: ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ଚାଲୁଥିବା ଏକ ସ୍ୱତନ୍ତ୍ର ଟ୍ରେନରେ ପ୍ରାୟ ୯୦ ଯାତ୍ରୀ ଫୁଡ୍ ପଏଜନିଂ କାରଣରୁ ଅସୁସ୍ଥ ହୋଇପଡିଛନ୍ତି । ରେଳ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଡକ୍ଟର ଶିବରାଜ ମାନସପୁରଙ୍କ ସୂଚନା ଅନୁଯାୟୀ ଗୁଜରାଟର ପାଲିତାନାଠାରେ ଏକ ଧାର୍ମିକ କାର୍ଯ୍ୟରେ ଯୋଗଦେବା ପାଇଁ ଚେନ୍ନାଇର ଦଳେ ଯାତ୍ରୀ ‘ଭାରତ ଗୌରବ’ ଟ୍ରେନ୍ ବୁକ୍ କରିଥିଲେ ।

ଜନସମ୍ପର୍କ ଅଧିକାରୀଙ୍କ କହିବା ମୁତାବକ ଏହି ଯାତ୍ରୀମାନେ ଏକ ଘରୋଇ କ୍ୟାଟରିଂ ସଂସ୍ଥାରୁ ଖାଇବା ମଗାଇଥିଲେ । ସେମାନଙ୍କୁ ରେଳବାଇ କିମ୍ବା ଭାରତୀୟ ରେଳ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ (ଆଇଆରସିଟିସି)ରୁ ଖାଦ୍ୟ ଦିଆଯାଇନଥିଲା । ତେବେ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ପ୍ୟାଣ୍ଟ୍ରି କାରରେ ପ୍ରସ୍ତୁତ‌ କରାଯାଇଥିଲା ବୋଲି ସେ କହିଛନ୍ତି।

ଟ୍ରେନ୍ ସୋଲାପୁର ଓ ପୁଣେ ମଧ୍ୟରେ ହୋଇଥିବା ବେଳେ ଏକ ବଗିର ପ୍ରାୟ ୮୦ ରୁ ୯୦ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଯାତ୍ରୀମାନେ ପେଟ ବ୍ୟଥା, ଝାଡ଼ାବାନ୍ତି ଓ ମୁଣ୍ଡବିନ୍ଧା ନେଇ ଅଭିଯୋଗ କରିଥିଲେ ।

ଅଧିକାରୀ କହିଛନ୍ତି, ଟ୍ରେନ୍ ପୁଣେ ଷ୍ଟେସନରେ ପହଞ୍ଚିବା ପରେ ଡାକ୍ତରଙ୍କ ଏକ ଟିମ୍ ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ଏହାପରେ ନିର୍ଦ୍ଧାରିତ ସମୟର ୫୦ ମିନିଟ୍ ବିଳମ୍ବରେ ଟ୍ରେନ୍ ଛାଡ଼ିଥିଲା । ସମସ୍ତ ଯାତ୍ରୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ରେଳବାଇ ତରଫରୁ କୁହାଯାଇଛି ।