ତପ୍ତପାଣି ଘାଟିରେ ଓଲଟିଲା ବସ୍, ୨୫ ଭକ୍ତ ଆହତ: ଅନ୍ୟ ଗାଡ଼ିରେ ପୁରୀ ପଠାଇଲା ପ୍ରଶାସନ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ପାଳୁଖୋଳା ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ସମସ୍ତ ଆହତ କୋରାପୁଟ ଜିଲ୍ଲା ମନଭାର ଓ ମସ୍ତିପୁଟ ପଞ୍ଚାୟତର। ଉଭୟ ପଞ୍ଚାୟତରୁ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏକ ବସରେ କୋରାପୁଟ ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିଲେ। ଘାଟିରେ ଭାରସାମ୍ୟ ହରାଇ ବସଟି ରାସ୍ତାକଡକୁ ଓଲଟି ପଡ଼ିଥିଲା। ପୋଡ଼ାମାରି ଫାଣ୍ଡି ଓ ପାଟପୁର ଥାନା ପୋଲିସ, ନିକଟସ୍ଥ ଗଜପତି ଜିଲ୍ଲା ମୋହନା ଥାନା ପୋଲିସ, ମୋହନା ଓ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତମାନଙ୍କୁ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିରେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କେହି ଗୁରୁତର ନଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଆହତ ଯାତ୍ରୀ ଓ ଅନ୍ୟ ଶ୍ରଦ୍ଧାଳୁମାନଙ୍କୁ ଆଉ ଏକ ବସରେ ପୁରୀ ଅଭିମୁଖେ ପଠାଇଥିଲା।

Comments are closed.