ଟି-୨୦ ବିଶ୍ୱକପ୍: ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଆଫଗାନିସ୍ତାନ

ପ୍ରୋଭିଡେନ୍ସ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଆଉ ଏକ ବିପର୍ଯ୍ୟୟ ଘଟିଛି | ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଆଫଗାନିସ୍ତାନ ୮୪ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଇଛି । ଯେକୌଣସି ଫର୍ମାଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ | ଏହାପୂର୍ବରୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ଆଫଗାନିସ୍ତାନ ବିପକ୍ଷ ସମସ୍ତ ୪ଟି ମ୍ୟାଚ୍ ଜିତିଥିଲା ନ୍ୟୁଜିଲ୍ୟାଣ୍ଡ ।

ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। ତେବେ ଏହି ସାଧାରଣ ବିଜୟଲକ୍ଷ୍ୟ ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୫.୨ ଓଭରରେ ମାତ୍ର ୭୫ ରନରେ ଅଲ୍ଆଉଟ୍ ହୋଇଥିଲା।

ରହମାନୁଲ୍ଲା ଗୁରବାଜ ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ୮୦ ରନର ଇନିଂସ ଖେଳିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଗୁରବାଜଙ୍କ ଏହା ନବମ ଅର୍ଦ୍ଧଶତକ। ଗୁରବାଜ ଏବଂ ଇବ୍ରାହିମ ଜାଦ୍ରାନଙ୍କ ମଧ୍ୟରେ ୧୦୩ ରନର ଓପନିଂ ଭାଗିଦାରୀ ମଧ୍ୟ ହୋଇଥିଲା |

ବୋଲିଂରେ ଦଳ ପକ୍ଷରୁ ଅଧିନାୟକ ରସିଦ ଖାନ ଏବଂ ଫଜଲହକ୍ ଫାରୁକି ଚମତ୍କାର ପ୍ରଦର୍ଶନ କରି ପ୍ରତ୍ୟେକ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ। ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ଏହାପୂର୍ବରୁ ଦଳ ଉଗାଣ୍ଡାକୁ ୧୨୫ ରନରେ ପରାସ୍ତ କରିଥିଲା। ଦୁଇଟି ବଡ଼ ବିଜୟ ପରେ ଦଳ ଗ୍ରୁପ୍ ସି ର ଶୀର୍ଷରେ ରହିଛି |

Comments are closed.