ଟି-୨୦ ବିଶ୍ବକପ୍: ଆଜି ଆମେରିକାକୁ ଭେଟିବ ଭାରତ

ନ୍ୟୁୟର୍କ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ଟି-୨୦ ବିଶ୍ୱକପ୍‌ରେ ଜବରଦସ୍ତ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମ ଦୁଇ ମ୍ୟାଚରେ ଆୟର୍ଲାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ତୃତୀୟ ଗ୍ରୁପ୍ ମ୍ୟାଚରେ ବୁଧବାର (ଜୁନ୍ ୧୨) ସହ ଆୟୋଜକ ଆମେରିକାକୁ ଭେଟିବ | ବିଜୟର ହ୍ୟାଟ୍ରିକ ସହ ଭାରତ ସୁପର-୮ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବାକୁ ଚାହିଁବ।

ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଖେଳୁଥିବା ଆମେରିକା ମଧ୍ୟ ଏପର୍ଯ୍ୟନ୍ତ ନିଜ ପ୍ରଦର୍ଶନ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛି । ଦଳ ପ୍ରଥମ ଦୁଇଟି ମ୍ୟାଚରେ କାନାଡ଼ା ଓ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଛି । ତେଣୁ ଆମେରିକାକୁ ହାଲକାରେ ନେବ ନାହିଁ ଭାରତ।

ଆମେରିକା ଓ ଭାରତ ମଧ୍ୟରେ ମ୍ୟାଚ୍ ମଧ୍ୟ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ | ଏହି ଗ୍ରାଉଣ୍ଡର ପିଚ୍ ଉପରେ ଅନେକ ପ୍ରଶ୍ନ ଉଠିଛି | ଏଯାବତ୍ ଟୁର୍ଣ୍ଣାମେଣ୍ଟର ଯେତିକି ମ୍ୟାଚ୍ ଏହି ପିଚରେ ହୋଇଛି ସେଗୁଡ଼ିକ ଲୋ-ସ୍କୋରିଂ ହୋଇଛି। ନ୍ୟୁୟର୍କରେ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଖୋଲାଖୋଲି ତଥା ଦ୍ରୁତ ରନ୍ କରିବା କଷ୍ଟସାଧ୍ୟ ହୋଇଛି। ନିକଟରେ ଏହି ଗ୍ରାଉଣ୍ଡରେ ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟ ଲୋସ୍କୋରିଂ ହୋଇଥିଲା।

ସେହି ମ୍ୟାଚରେ ଭାରତ ମାତ୍ର ୧୧୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ତେବେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ୬ ରନରେ ଜିତିଥିଲା। ଏହି ପିଚରେ ଏଯାବତ୍ ସର୍ବାଧିକ ସ୍କୋର ହେଉଛି ୧୩୭ ରନ୍ । ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଏକ ଲୋ’ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିପାରେ | ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ମୋଟ ୬ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ ଏବଂ ଦ୍ବିତୀୟ ବ୍ୟାଟିଂ କରିବା ଦଳ ୩ଟି ମ୍ୟାଚ ଜିତିଛି। ନାସାଉରେ ପ୍ରଥମ ଇନିଂସର ହାରାହାରି ସ୍କୋର ହେଉଛି ୧୦୭ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୦୫ ରନ୍।

Comments are closed.