ପ୍ୟାରିସ ଅଲିମ୍ପିକ୍ସ: ପ୍ରଶଂସକଙ୍କୁ ନିରାଶ କଲା ଭାରତୀୟ ଖେଳାଳିଙ୍କ ୟୁନିଫର୍ମ

ନୂଆଦିଲ୍ଲୀ: ନିଆରା ଉଦ୍‌ଘାଟନୀ ଉତ୍ସବ ସହ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଶୁକ୍ରବାର ଆରମ୍ଭ ହୋଇଛି । ତେବେ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଖେଳାଳି ପିନ୍ଧିଥିବା ପରିଧାନ ପ୍ରଶଂସକମାନଙ୍କୁ ନିରାଶ କରିଛି । ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଡିଜାଇନ୍‌କୁ ସେମାନେ ସମାଲୋଚନା କରିଛନ୍ତି ।

ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ମହିଳା ଆଥଲେଟ୍‌ମାନେ ସବୁଜ ଓ କମଳା ରଙ୍ଗ ଧଡ଼ି ଥିବା ଶାଢ଼ୀ ପିନ୍ଧିଥିବା ବେଳେ ପୁରୁଷ ଖେଳାଳିମାନେ ତ୍ରିରଙ୍ଗା ରଙ୍ଗ ଥିବା କୁର୍ତ୍ତା ପରିଧାନ କରିଥିଲେ । ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଜଣାଶୁଣା ଫ୍ୟାସନ୍ ଡିଜାଇନର ତରୁଣ ତାହିଲାନି ତିଆରି କରିଛନ୍ତି । ତେବେ ଉଭୟ ପୁରୁଷ ଓ ମହିଳା ଆଥ୍‌ଲେଟ୍‌ଙ୍କ ୟୁନିଫର୍ମ ଡିଜାଇନ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିପାରିନି । ଭାରତୀୟ ଆଥଲେଟ୍‌ଙ୍କ ୟୁନିଫର୍ମ ଡିଜାଇନରେ ଅସନ୍ତୋଷ ପ୍ରକାଶ କରି ଜଣେ ୟୁଜର ‘ଏକ୍ସ’ରେ ଲେଖିଛନ୍ତି – “ଅତି ସାଧାରଣ ପରିଧାନ । ଏଥିରେ ଗୌରବାନ୍ୱିତ ଭାରତୀୟ ସାଂସ୍କୃତିକ ବିବିଧତାର ଛାପ ନାହିଁ । ସାଧାରଣତଃ ଏଭଳି ପୋଷାକ ମୁଁ ରାତିରେ ପିନ୍ଧି ଶୋଇଥାଏ ।” ଆଉ ଜଣେ ୟୁଜର ଲେଖିଛନ୍ତି – “ମୁଁ ବିଶ୍ୱାସ କରିପାରୁନି ଏଭଳି ଅତି ସାଧାରଣ ପୋଷାକରେ ଆମ ଆଥଲେଟ୍ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ଆମ ପାଖରେ ଏତେ ସବୁ ଡିଜାଇନ ଓ ପରିଧାନ ଥିବା ସତ୍ତ୍ୱେ ଆମେ ନିଜ ଖେଳାଳିଙ୍କୁ ଏଭଳି ପୋଷାକ କିପରି ଦେଇପାରିଲୁ?” ଭାରତୀୟ ଖେଳାଳିଙ୍କ ପୋଷାକ ନେଇ ଆଉ ଜଣେ ୟୁଜର କହିଛନ୍ତି, “ଏହାଠାରୁ ଆହୁରି ଭଲ ଶାଢ଼ୀ ମୁମ୍ବାଇର ସାହିଗଳିରେ ୨୦୦ ଟଙ୍କାରେ ମିଳୁଛି.. ।”

ଭାରତର ଅନ୍ୟ କେତେକ ଫ୍ୟାଶନ ଡିଜାଇନର ମଧ୍ୟ ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଡିଜାଇନ୍‌ରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତରୁଣ ତାହିଲାନିଙ୍କ ଠାରୁ ଏଭଳି ଡିଜାଇନ ଆଶା କରାଯାଉନଥିଲା ବୋଲି ସେମାନେ କହିଛନ୍ତି ।

Comments are closed.