କନ୍ଧମାଳରେ ବିକଶିତ ହେବ ପୌରାଞ୍ଚଳ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲା ବିଜେଡି ନେତୄବୄନ୍ଦ

ଫୁଲବାଣୀ: ବିକଶିତ ହେବ କନ୍ଧମାଳ ଜିଲ୍ଲାର ୩ଟି ଯାକ ପୌରାଞ୍ଚଳ। ଜିଲ୍ଲା ସଦର ମହକୁମା ଫୁଲବାଣୀ ପୌରପାଳିକା ସମେତ ବାଲିଗୁଡ଼ା ଏବଂ ଜି.ଉଦୟଗିରି ଏନ୍ଏସିରେ ଉନ୍ନୟନ ପ୍ରକ୍ରିୟା ତ୍ଵରାନ୍ବିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଅନୁଦାନ ମଞ୍ଜୁର କରିଛନ୍ତି। କନ୍ଧ ଆଦିବାସୀ ବହୁଳ ଏହି ଜିଲ୍ଲାର ବିକାଶ ପ୍ରତି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ନଜର ରଖି ଆସିଛନ୍ତି। ଯାହାର ଫଳ ଏୟା ହୋଇଛି ଯେ- ଏକଦା ଅନୁନ୍ନତ ଓ ପଛୁଆ ଜିଲ୍ଲା ଭାବେ ପରିଗଣିତ ଥିବା ପାହାଡ଼, ଜଙ୍ଗଲରେ ଭରା ଏହି ଜିଲ୍ଲା ଏବେ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ପାଦେ ପାଦେ ଆଗକୁ ବଢ଼ିଚାଲିଛି। ଜିଲ୍ଲାର ସହରାଞ୍ଚଳ ବାସିନ୍ଦା ଏବେ ପ୍ରଗତିର ନୂଆ ଅନୁଭବ ହାସଲ କରିବାକୁ ଯାଉଛନ୍ତି। ଆଉ ପଛୁଆ ଜିଲ୍ଲା ନୁହେଁ, ବରଂ ବିକଶିତ ସହର ଭାବେ ଏବେ ପରିଚିତ ହେବ ଫୁଲବାଣୀ, ବାଲିଗୁଡ଼ା ଓ ଜି.ଉଦୟଗିରି।

ଏହି ଜିଲ୍ଲାର ସହରାଞ୍ଚଳର ଉନ୍ନୟନ କାର୍ଯ୍ୟକୁ ଫୋକସ୍‌ରେ ରଖିଛନ୍ତି ନବୀନ ସରକାର। ନିକଟରେ ଏନେଇ ଜିଲ୍ଲା ପ୍ରଶାସନ ତଥା ପୌରାଞ୍ଚଳ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ସେଥିରେ ସେ ଫୁଲବାଣୀ ପୌରପାଳିକା ପାଇଁ ରାଜ୍ୟ ସରକାର ୯ କୋଟି ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ସୂଚନା ଦେଇଥିଲେ। ଏହି ଅର୍ଥରେ ଜିଲ୍ଲାର ଏହି ପ୍ରମୁଖ ସହରରେ କାର୍ଯ୍ୟକାରୀ ହେବ ୧୩୫ଟି ଛୋଟ ବଡ଼ ଉନ୍ନୟନମୂଳକ ପ୍ରକଳ୍ପ। ଶିଶୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବୟସ ବର୍ଗର ଲୋକେ ଏଥିରେ ଲାଭାନ୍ବିତ ହେବେ। ସହରରେ ତିଆରି ହେବ ନୂଆ କ୍ଷୁଦ୍ର ପ୍ରମୋଦ ଉଦ୍ୟାନ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ, ପାଦଚଲା ପଥ ଆଦି। ସେହିପରି ବ୍ୟବସାୟୀଙ୍କ ନିମନ୍ତେ ଭେଣ୍ଡିଂ ଜୋନ୍, ସର୍ବସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଶୌଚାଳୟ ସମେତ ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ଖେଳ ପଡ଼ିଆ ବିକାଶ, ରାସ୍ତା ଓ ଡ୍ରେନ୍ ନିର୍ମାଣ ଆଦି କରାଯିବ। କେବଳ ଏତିକି ନୁହେଁ, କ୍ରମେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ଫୁଲବାଣୀ ବାସିନ୍ଦାଙ୍କ ପାନୀୟ ଜଳ ଚାହିଦା ମେଣ୍ଟାଇବା ଦୃଷ୍ଟିରୁ ନୂଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ ଆଶ୍ବାସନା ଦେଇଥିଲେ ୫-ଟି ସଚିବ।

ଏହାଦ୍ଵାରା ସହରର ବିକାଶର ଧାରା ଦ୍ରୁତଗତିରେ ଆଗେଇବା ନିଶ୍ଚିତ ହୋଇଛି। ଏଣୁ ସହରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଫୁଲବାଣୀ ବିଜେଡି ନେତୃବୃନ୍ଦ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି ଯେ- ରାଜ୍ୟ ସରକାର ଏହି ସବୁ ଯୋଜନାକୁ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିକଟରେ ଜିଲ୍ଲାବାସୀ କୃତଜ୍ଞ ରହିବେ। ଫୁଲବାଣୀ ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଏହି ପ୍ରକଳ୍ପ ଅନୁମୋଦନ ଦ୍ଵାରା ଫୁଲବାଣୀ ପୌରାଞ୍ଚଳର ଅଧିକ ଉନ୍ନତି ହୋଇପାରିବ ବୋଲି କହିଛନ୍ତି।

ସେହିପରି ଜି.ଉଦୟଗିରି ସହରକୁ ‘ମୁକ୍ତା’ ଯୋଜନାରେ ସାମିଲ କରାଯିବା ସାଙ୍ଗକୁ ଏହି ଏନ୍‌ଏସି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ୨ କୋଟି ୧୮ ଲକ୍ଷ ଟଙ୍କା। ଏହି ଅର୍ଥରେ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟକାରୀ ହେବ ୩୧ଟି ଉନ୍ନୟନମୂଳକ ପ୍ରକଳ୍ପ। ମିନି ପାର୍କ, ସର୍ବସାଧାରଣ ବ୍ୟାୟାମଶାଳା, ଚିଲଡ୍ରେନସ୍ ପାର୍କ ହେବ। ଏଥିସହ ସହରର ଅନେକ ରାସ୍ତା ମରାମତି ବା ନୂଆ ପକ୍କା ସଡ଼କ ଏବଂ ଡ୍ରେନ୍ ନିର୍ମାଣ ସାଙ୍ଗକୁ ଶୌଚାଳୟ କରାଯିବ। ଫଳରେ ସହରବାସୀ ତଥା ଏଠାକୁ ଆସୁଥିବା ଲୋକେ ବିଭିନ୍ନ ମୌଳିକ ସୁବିଧା ସୁଯୋଗ, ଆମୋଦପ୍ରମୋଦ, ଉତ୍ତମ ଯୋଗାଯୋଗ ବ୍ୟବସ୍ଥାର ଲାଭ ପାଇପାରିବେ।

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି ଜି.ଉଦୟଗିରି ନଗର ବିଜେଡି। ବିଧାୟକ ସାଲୁଗା ପ୍ରଧାନ, ନଗର ସଭାପତି ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ କହିଛନ୍ତି ଯେ- ଏହା ଫଳରେ ଜି.ଉଦୟଗିରି ସହର ପୂର୍ବାପେକ୍ଷା ଅଧିକ ଉନ୍ନତ ହେବ। ସହରବାସୀ ଆଧୁନିକ ସୁବିଧା ସୁଯୋଗ ପାଇପାରିବେ। ଏହି ସବୁ ଯୋଜନାକୁ ଅନୁମୋଦନ ଦେଇଥିବାରୁ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବଙ୍କୁ ଜି.ଉଦୟଗିରି ନଗର ବିଜେଡି ପକ୍ଷରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଉଛି।

Comments are closed.