ଧନୁସଂକ୍ରାନ୍ତି ଠାରୁ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିଛି ପହିଲି ଭୋଗ

ଭାରତର ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ ଧାମ ହେଉଛି ଭଗବାନଙ୍କର ଭୋଜନ ଧାମ।ଏହିକ୍ଷେତ୍ର ହେଉଛି ଭୋଗବର୍ଦ୍ଧନ କ୍ଷେତ୍ର। ସେଥିପାଇଁ ବିଭିନ୍ନ ପର୍ବପର୍ବାଣୀରେ ଏହି ସ୍ଥାନରେ ରହିଛି ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ଶ୍ରୀଜୀଉମାନଙ୍କ ଭୋଗ ଓ ଉତ୍ସବ ପରିପାଟି ଦେଖି ଲୋକକଥାରେ ଯଥାର୍ଥରେ କୁହାଯାଇଛି : –

‘ବଡ଼ ଦେଉଳ ରେ ଲାଗିଛି ନାଟ,
ନିଇତି ପୁନିଅ ନିଇତି ହାଟ’

ଶ୍ରୀଜଗନ୍ନାଥଙ୍କ ସେବାରେ ସମସ୍ତ ମାନବୀୟ ଭାବକୁ ଅଧାରକରି ସମସ୍ତ ସେବା ସମ୍ପର୍ଣ୍ଣ ହୋଇଥାଏ। ମହାପ୍ରଭୁଙ୍କ ସେବାରେ ଶୃଙ୍ଗାରଭାବ, ବୀରଭାବ,ଦାସ୍ୟ ସାଖ୍ୟ ଓ ବାତ୍ସଲ୍ୟା ଭାବ ପରିଲକ୍ଷିତ ହୋଇଥାଏ। ତନ୍ମଧ୍ୟରୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପହିଲି ଭୋଗ ନୀତି ବାତ୍ସଲ୍ୟ ଭାବର ପ୍ରତୀକ ଭାବେ ଗ୍ରହଣ କରାଯାଏ।

ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳର ଗୋପଲବଲ୍ଲଭ ଭୋଗ ସହିତ ‘ପହିଲିଭୋଗ’ ଅନୁଷ୍ଠିତ ହୋଇ ଥାଏ। ଏହିଦିନ ମାନଙ୍କରେ ରାତ୍ର ଦୁଇଘଡି ଥାଇ ଦ୍ୱାରଫିଟା,ଆଳତି,ଅବକାଶ ହୁଏ। ତାହା ପରେ ଘୋଡ ଓ ଅଳଙ୍କାର ଲାଗିହୋଇ ବେଶ ଅନୁଷ୍ଠିତ ହୋଇଥାଏ। ତତ୍ପରେ ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ପରଖମାନଙ୍କରେ ବଲ୍ଲଭ ବଢାଯାଇଥାଏ।ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲିଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ।ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ।ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି – ‘ ବଡ଼ ଝିଲି,ଦରସୁଆ ବଡି,ଦରସୁଆ ଝିଲି,ବଡ଼ ବଡ଼ା, କାକେରି,ସାନ ଅମାଲୁ,ନଳୀ,କାକେରା, ଆରିସା,ମୁଗେଇ,ଏଣ୍ଡୁରି,ନଡୁ,ଗଜା,ଖଇର ଚୁଳ,ମଣ୍ଡା,ଚୁଡା ପୁଆ,ବଡ଼ି,କଣ୍ଟେଇ ପ୍ରଭୃତି ସ୍ୱତନ୍ତ୍ର ପିଷ୍ଟକ ଅର୍ପଣ କରାଯାଇଥାଏ।

ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି।ଏସବୁ ଦ୍ରବ୍ୟ ପାକକରିବାକୁ ସୁବିଧା ହେବାପାଇଁ ଏହି ଦିନମାନଙ୍କରେ ମଂଗଳଆଳତି ପରେ ହିଁ ରୋଷହୋମ ଅନୁଷ୍ଠିତ ହୋଇଥାଏ।

ପହିଲିଭୋଗ ଉତ୍ପତ୍ତିର ସମୟ ଓ କାରଣ ସମ୍ପର୍କରେ ବିଭିନ୍ନ ପ୍ରକାର କିମ୍ବଦନ୍ତୀ ଶୁଣିବାକୁ ମିଳେ। ସ୍କନ୍ଧପୁରାଣ, ଶ୍ରୀମନ୍ଦିରର ବିଭିନ୍ନ ପର୍ବ- ପର୍ବାଣି ସମ୍ଵନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଥିବା ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ ରେ ମଧ୍ୟ ପହିଲିଭୋଗର କୌଣସି ବିବରଣ ଦେଖିବାକୁ ମିଳେନାହିଁ। ଏଥିରୁ ଅନୁମତି ହୁଏ ଯେ ପହିଲିଭୋଗର ପ୍ରଚଳନ ଅର୍ବାଚିନ କାଳ ରେ ହିଁ ହୋଇଛି। ଭକ୍ତକବି ମାଧବୀ ଦାସୀଙ୍କ ଧନୁମାସର ପହିଲିଭୋଗ ବର୍ଣ୍ଣନାତ୍ମକ ଏକ ରଚନାରୁ ଏହି ପହିଲିଭୋଗ ଖ୍ରୀଷ୍ଟିୟ ୧୬ଶ ଶତାବ୍ଦୀରେ ପ୍ରଚଳିତ ଥିବାର ମନେ କରାଯାଏ।ଏଥିରେ ମାତା ଯଶୋଦା ରାତି ନ ପାହୁଣୁ ,କାଉ କା ନକରୁଣୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ଲଘୁଦ୍ରବ୍ୟ ଭୁଂଯାଇ ଦିଅନ୍ତି। ଅତଏବ ଏହି ଭୋଗ ହେଉଛି ମାତା ଯଶୋଦାଙ୍କର ପୁତ୍ରପ୍ରତି ବାତ୍ସଲ୍ୟ ସ୍ନେହ ତଥା ନୈସର୍ଗିକ ପ୍ରେମର ନିଦର୍ଶନ ଏବଂ ଏହା ଶ୍ରୀମନ୍ଦିରରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ବୋଲି କିଛି ଗବେଷକ ମନେକରନ୍ତି।

ପୌରାଣିକ କଥାବସ୍ତୁ ଆଧାରରେ ଏକଦା ଦ୍ୱାରକାରେ ମାତା ଯଶୋଦାଙ୍କ ସ୍ମୃତିରେ ବ୍ୟାକୁଳିତ ହୋଇ ବାଳଗୋପାଳ ରୂପ ଧାରଣ କରିଥିବାବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ। ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରେରିତ ହୋଇ ନାରଦ ଗୋପପୁରକୁ ଯାଇ ମା ଯଶୋଦାଙ୍କ ଦୁଇ କୋଳରେ ବଳରାମ ଓ କୃଷ୍ଣ ଦୁଇଭାଇଙ୍କୁ ବସି ଆନନ୍ଦରେ ନାନା ସୁମିଷ୍ଟ ଦ୍ରବ୍ୟ ଭୋଜନ କରୁଥିବାର ଦେଖିଥିଲେ। ଯାହାକି ଶ୍ରୀଜଗନ୍ନାଥଙ୍କ ‘ପହିଲିଭୋଗ’ ଏହାର ସ୍ମାରକୀ।ପୌରାଣିକ ଭିତ୍ତିଭୂମି ଅନୁଯାୟୀ ଦ୍ୱାପର ଯୁଗରେ ଯଶୋଦାଙ୍କର ପୁତ୍ର ବାତ୍ସଲ୍ୟର ପ୍ରମାଣ ସ୍ୱରୂପ ରୁକ୍ମଣୀ(ଲଷ୍ମୀ)ଙ୍କର ପିତୃ ଗୃହଗମନ ହେତୁ ପହିଲିଭୋଗର ସୃଷ୍ଟି ହୋଇଛି। ପୁଣି ଜନଶ୍ରୁତି ଅନୁଯାୟୀ ଲଷ୍ମୀ ଏହି କେତେଦିନ ନିଜ ସ୍ଥାନରୁ ଅନ୍ତର ଥାଆନ୍ତି।ଲୋକବବିଶ୍ୱାସରେ ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି। ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘରମାନଙ୍କରେ ରହିଛି। ତେଣୁ ମା ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତରେ ସକାଲୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି। ଏହି ପହିଲିଭୋଗ ପୂର୍ବରୁ ପ୍ରଚଳିତ ବଢା ଭାତର ସ୍ମୃତିକୁ ମନେ ପକାଇଦିଏ। ( ସଂଗୃହିତ )

Comments are closed.