ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥ ହେଲେ ଇସ୍ରୋର ନୂଆ ମୁଖ୍ୟ

ନୂଆଦିଲ୍ଲୀ: ଭାରତର ମହାକାଶ ପ୍ରତିଷ୍ଠାନ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥା’ (ଇସ୍ରୋ)ର ପରବର୍ତ୍ତୀ ମୁଖ୍ୟ ଭାବରେ ରକେଟ୍ ବୈଜ୍ଞାନିକ ଏସ୍ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି। ଜିଏସ୍ଏଲଭି ଏମକେ-୩ ଲଞ୍ଚରର ବିକାଶରେ ସୋମନାଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ବର୍ତ୍ତମାନ ସୋମନାଥ ବରିଷ୍ଠ ବୈଜ୍ଞାନିକ ତଥା ବାଦାୟୀ ମୁଖ୍ୟ କେ.ଶିବନଙ୍କ ସ୍ଥାନ ନେବେ | କେ.ଶିବନଙ୍କ କାର୍ଯ୍ୟକାଳ ଶୁକ୍ରବାର ଦିନ ଶେଷ ହେବ |

ଇସ୍ରୋର ନବନିଯୁକ୍ତ ଅଧ୍ୟକ୍ଷ ଏସ ସୋମନାଥ ବୁଧବାର କହିଛନ୍ତି ଯେ ଘରୋଇ କମ୍ପାନୀଗୁଡିକ ପାଇଁ ବ୍ୟବସାୟିକ ସୁଯୋଗ ଯୋଗାଇବା ପାଇଁ ଭାରତୀୟ ମହାକାଶ କ୍ଷେତ୍ରର ବିକାଶ ହେବା ଆବଶ୍ୟକ ଏବଂ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ମଧ୍ୟ ନବୀକରଣ କରିବା ଆବଶ୍ୟକ।

ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ମହାକାଶ କାର୍ଯ୍ୟକ୍ରମ କେବଳ ଇସ୍ରୋରେ ସୀମିତ, କିନ୍ତୁ ସରକାର ଚାହୁଁଛନ୍ତି ଯେ ଏହି କ୍ଷେତ୍ରରେ ନୂଆ ଲୋକ ଆସନ୍ତୁ। ବର୍ତ୍ତମାନର ୧୫,୦୦୦-୧୬,୦୦୦ କୋଟିରୁ ୨୦,୦୦୦-୫୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ପେସ୍ ବଜେଟ୍ ବୃଦ୍ଧି କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ସୋମନାଥ । କିନ୍ତୁ ସ୍ପେସ୍ ବଜେଟ୍ ବୃଦ୍ଧି କେବଳ ସରକାରୀ ଅର୍ଥ କିମ୍ବା ସହାୟତା ଦ୍ୱାରା ହୋଇପାରିବ ନାହିଁ। ଟେଲି ଯୋଗାଯୋଗ ଏବଂ ବିମାନ ଭ୍ରମଣ ପରି କ୍ଷେତ୍ରରେ ଘଟିଥିବା ପରିବର୍ତ୍ତନଗୁଡିକ ପରି ଏଠାରେ ମଧ୍ୟ ସମାନ ପରିବର୍ତ୍ତନ ହେବା ଉଚିତ | ଏହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ଏବଂ ଗବେଷଣା ଓ ବିକାଶ ବୃଦ୍ଧି କରିପାରିବ। ” ଇସ୍ରୋର ଘରୋଇକରଣ ଗୁଜବକୁ ସେ ଖଣ୍ଡନ କରିଛନ୍ତି ।

Comments are closed.