କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଜଣାଇ ବିବାଦରେ କାର୍ କମ୍ପାନୀ ହ୍ୟୁଣ୍ଡାଇ, ଭାରତରେ ଟ୍ରେଣ୍ଡ କଲା #BoycottHyundai

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ କାର୍ କମ୍ପାନୀ ହ୍ୟୁଣ୍ଡାଇର ଏକ ଟ୍ବିଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଭାରତରେ ଏହି କାର୍ କମ୍ପାନୀ ବିରୋଧରେ ବିରୋଧର ସ୍ବର ଉଠିଛି । ଭାରତରେ ଏହି ଅଟୋ ମୋବାଇଲ୍ କମ୍ପାନୀକୁ ବର୍ଜନ କରିବାକୁ ଦାବି ଉଠିଛି । ଏଥିପାଇଁ ସୋସିଆଲ ମିଡିଆରେ #BoycottHyundai ଟ୍ରେଣ୍ଡ କରିବା ଆରମ୍ଭ କରିଛି | ଏହି ବିବାଦ ହ୍ୟୁଣ୍ଡାଇର ପାକିସ୍ତାନ ଶାଖାର ଟ୍ୱିଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟରୁ ଆରମ୍ଭ ହୋଇଥିଲା ଯେଉଁଥିରେ ଲେଖାଥିଲା, ” ଆସନ୍ତୁ, କାଶ୍ମୀରୀ ଭାଇମାନଙ୍କ ବଳିଦାନକୁ ମନେ ରଖିବା ଏବଂ ସମର୍ଥନ କରିବା ଯାହା ଦ୍ୱାରା ସେମାନେ ସ୍ୱାଧୀନତା ସଂଗ୍ରାମ ଜାରି ରଖିବେ। ଏହି ପୋଷ୍ଟ ସହ # ହୁଣ୍ଡାଇ ପାକିସ୍ତାନ ଏବଂ # କାଶ୍ମୀର ସଲିଡାରିଟି ଡେ ହ୍ୟାସଟ୍ୟାଗ୍ ମଧ୍ୟ ଯୋଡ଼ି ଦିଆଯାଇଥିଲା ।

ହ୍ୟୁଣ୍ଡାଇ ପାକିସ୍ତାନର ଏହି ଟ୍ବିଟ୍ ପରେ ଭାରତରେ ଏହି ଅଟୋ ମୋବାଇଲ୍ କମ୍ପାନୀ ଉପରେ ଲୋକମାନେ ବର୍ଷିଛନ୍ତି । ହ୍ୟୁଣ୍ଡାଇ କାର୍ ନ କିଣିବାକୁ ଲୋକେ ସଂକଳ୍ପ କରିଛନ୍ତି । ବିଶ୍ବରେ ଭାରତ ହୁଣ୍ଡାଇର ସବୁଠାରୁ ବଡ଼ ବଜାର ହୋଇଥିଲେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସପକ୍ଷରେ ଟ୍ବିଟ୍ କରି ଭାରତୀୟଙ୍କ ପ୍ରତି ବିଶ୍ଵାସ ଘାତକତା ବୋଲି ମତ ପ୍ରକାଶ ପାଇଛି । ଭାରତରେ ତୀବ୍ର ସମାଲୋଚନା ଓ ବିରୋଧକୁ ଦେଖି ହ୍ୟୁଣ୍ଡାଇ ପାକିସ୍ତାନର ଟ୍ୱିଟର ହ୍ୟାଣ୍ଡେଲରୁ କାଶ୍ମୀର ପ୍ରସଙ୍ଗରେ ପୋଷ୍ଟ ଡିଲିଟ କରିଦିଆଯାଇଥିଲା, କିନ୍ତୁ ଏହାର ସ୍କ୍ରିନ ସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବିବାଦ ବଢୁଥିବାରୁ ହ୍ୟୁଣ୍ଡାଇ ଇଣ୍ଡିଆ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ସ୍ପଷ୍ଟୀକରଣ ଜାରି କରିଛି| କମ୍ପାନୀ କହିଛି- ‘ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ୨୫ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ବଜାର ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆମେ ଜାତୀୟତା ପ୍ରତି ଦୃଢ଼ ଭାବରେ ଛିଡ଼ା ହୋଇଛୁ | ଏକ ଅବାଞ୍ଛିତ ସୋସିଆଲ୍ ମିଡିଆ ପୋଷ୍ଟରେ ଦେଖାଯାଇଥିବା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ଲିଙ୍କ୍ ଆମର ଭାବନାକୁ ଆଘାତ ଦେଇଛି | ଭାରତ ହେଉଛି ହ୍ୟୁଣ୍ଡାଇ ବ୍ରାଣ୍ଡର ଦ୍ୱିତୀୟ ଘର ଏବଂ ସମ୍ବେଦନଶୀଳ ପୋଷ୍ଟ ପ୍ରତି ଆମର ଶୂନ୍ୟ ସହନଶୀଳତା ନୀତି ଅଛି । ଆମେ ଏହିପରି କୌଣସି ମତକୁ ଦୃଢ ନିନ୍ଦା କରୁଛୁ | ଭାରତ ପ୍ରତି ଆମର ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଆମେ ଦେଶର ତଥା ନାଗରିକଙ୍କ ଉନ୍ନତି ପାଇଁ ଆମର ଉଦ୍ୟମ ଜାରି ରଖିବୁ।

ହ୍ୟୁଣ୍ଡାଇର ସ୍ପଷ୍ଟୀକରଣ ସତ୍ତ୍ୱେ ଏହାର ଭାରତୀୟ ଗ୍ରାହକଙ୍କ ରାଗ ଥମି ନାହିଁ । ସେମାନେ କହିଛନ୍ତି ଯେ ହ୍ୟୁଣ୍ଡାଇ କ୍ଷମା ମାଗି ନାହିଁ। କେତେକ ଗ୍ରାହକ କମ୍ପାନୀର ସ୍ପଷ୍ଟୀକରଣକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ୱିଟର ହ୍ୟାଣ୍ଡେଲ ଯେଉଁଥିରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ତାହା ଏପର୍ଯ୍ୟନ୍ତ କମ୍ପାନୀର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ କି ନୁହେଁ ତାହା ନିଶ୍ଚିତ ହୋଇପାରି ନାହିଁ। କମ୍ପାନୀର ପାକିସ୍ତାନ ୱେବସାଇଟରେ ବି କମ୍ପାନୀର କୌଣସି ଟ୍ୱିଟର ଲିଙ୍କ୍ ମିଳୁନାହିଁ।

Comments are closed.