ପଞ୍ଚାୟତ ଫଇସଲାରେ ଶୋଚନୀୟ ପରାଜୟ ପରେ… ଧର୍ମନ୍ଦ୍ରେଙ୍କ ନେତୃତ୍ବ ଉପରେ ଉଠିଲା ପ୍ରଶ୍ନ, ଗେରୁଆ ଶିବିରରେ ଚାପା ଗୁଞ୍ଜରଣ

ଭୁବନେଶ୍ବର : ଶଙ୍ଖନାଦରେ ପଦ୍ମନାଡ ଭାଙ୍ଗି ଅତଳ ସାଗରରେ ରସାତଳଗାମୀ ହୋଇଯାଇଛି। ପୂର୍ବରୁ ଉତ୍ତର ଏବଂ ଦକ୍ଷିଣରେ ଅଭୂତପୂର୍ବ ସଫଳତା ପରେ ବର୍ତ୍ତମାନ ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ବି ଶଙ୍ଖନାଦ ଶୁଭିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ସାରା ଓଡିଶାର ଜନସାଧାରଣଙ୍କ ଠାରୁ ବିଜେପି ପ୍ରତ୍ୟାଖ୍ୟାତ ହୋଇସାରିଛି। ତେବେ, ଦଳର ଏହି ଶୋଚନୀୟ ପରାଜୟ ପରେ ଏହାର ଅଘୋଷିତ ମୁଖିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଉଠିଛି ଅଙ୍ଗୁଳି। ତାଙ୍କର ନେତୃତ୍ବ ଉପରକୁ ଉଠିଛି ପ୍ରଶ୍ନ। ଏପରିକି ଗତ ଦୁଇଦିନ ହେଲା ଫଳାଫଳ ପ୍ରକାଶ ପାଇବା ଠାରୁ ଖୋଦ୍ ଗେରୁଆ ଶିବିରରେ ଏହି ଚାପା ଗୁଞ୍ଜରଣ ଏବେ ଜୋରସୋରରେ ଚାଲିଥିବା ସୂଚନା ମିଳିଛି। ଗତ 2017ରେ ହେଲିକପଟରରେ ଓହ୍ଲାଇ ତୁହାକୁ ତୁହା ସମାବେଶରେ ମୋଦି ଅନ୍ଦାଜରେ ଉଦବୋଧନ ଦେଉଥିବା ଧର୍ମେନ୍ଦ୍ର ବାବୁ ଏଥର କୁଆଡେ ଗଲେ ବୋଲି ଏବେ ଚାରି ଆଡେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଲାଣି। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଧର୍ମେନ୍ଦ୍ର ନିଜ ଘର ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକର 8 ନମ୍ବର ଜୋନରେ ବି ବିଜେପିକୁ ଧୂଳି ଚାଟିବାକୁ ପଡିଛି। ଏଥିରୁ ତାଙ୍କ ନେତୃତ୍ବ ପ୍ରତି ପ୍ରଶ୍ନ ଚିହ୍ନ ଲାଗିବା ସ୍ବାଭାବିକ ବୋଲି ଚର୍ଚ୍ଚ। ହେଉଛି। ଅନ୍ୟପଟେ ଏହି ଶୋଚନୀୟ ପରାଜୟ ପରେ ମନୋବଳ ଭାଙ୍ଗି ଯାଇଥିବା ବିଜେପି କର୍ମୀ କିଭଳି ଏବଂ କାହା ନେତୃତ୍ବରେ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ବି ପ୍ରଶ୍ନ ଉଠିଲାଣି।

ଓଡିଶା ବିଜେପି ଗତ 2014 ପରଠାରୁ ଅଘୋଷିତ ଭାବେ ବାବୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ପରିଚାଳିତ ହୋଇଆସିଛି। ରାଜ୍ୟରେ ସଭାପତି ଚୟନ ତାଙ୍କ ଇଚ୍ଛାରେ ହିଁ ହେଉଥିବା ବେଳେ ତାଙ୍କର ଇସାରାରେ ରାଜ୍ୟ ବିଜେପିରେ ପତ୍ର ଟିଏ ବି ହଲୁନଥିବା କଥା ସମସ୍ତଙ୍କୁ ଜଣା। ଏପରିକି ଦଳ ସବୁ ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରି ଆସିଛି। ମୋଟ୍ ଉପରେ କହିବାକୁ ଗଲେ ଦଳ ଆଜକୁ 8 ବର୍ଷ ହେଲା ସଂପୂର୍ଣ ଭାବେ ଧର୍ମେନ୍ଦ୍ରଙ୍କ ଉପରେ ନିର୍ଭରଶୀଳ ରହି ଆସିଛି।

ଆଉ ତାଙ୍କ ନେତୃତ୍ବରେ ହିଁ ଗତ 2017 ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରି ବିଜେପୁରର ଦୁଇ ଦୁଇଟି ଉପନିର୍ବାଚନ ଏବଂ 2019 ସାଧାରଣ ନିର୍ବାଚନ ସାମ୍ନା କରିଥିଲା। ହେଲେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ତାଙ୍କ ଅସମ୍ଭବ ନିରବତା ସମସ୍ତଙ୍କୁ ଚକିତ କରିଥିଲା। ଏହି ନିର୍ବାଚନରେ ସେ ଥରୁଟିଏ ବି ପ୍ରଚାର ମଇଦାନକୁ ଆସିନଥିଲେ କି କୌଣସି ଦଳୀୟ କାର୍ଯ୍ୟକ୍ରମରେ ବି ସାମିଲ ହେବା ଦେଖିବାକୁ ମିଳିନଥିଲା। ଉତ୍ତରପ୍ରଦେଶ ନିର୍ବାଚନ ଆଳରେ ସେ ସଂପୂର୍ଣ ଭାବେ ଓଡିଶାର ପଞ୍ଚାୟତ ନିର୍ବାଚନ ଠାରୁ ଦୂରେଇ ରହିଥିଲେ। ଏପରିକି ଦୁଇ ତିନିଟି ଭିଡିଓ ବାର୍ତ୍ତା ଦେଇ ତାଙ୍କ ଦାୟିତ୍ବ ସାରି ଦେଇଥିଲେ।

ଏଭଳି ସ୍ଥିତିରେ ବର୍ତ୍ତମାନ ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ଶୋଚନୀୟ ପରାଜୟ ଭୋଗିଥିବା ବେଳେ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି ତଥା ନିରବତା ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ତାଙ୍କୁ ଦଳ କୁଆଡେ ରାଜ୍ୟ ସଂଗଠନରେ ମୁଣ୍ଡ ପୂରାଇବାକୁ ମନା କରିଛନ୍ତି କି ବୋଲି ବି ଚର୍ଚ୍ଚ। ଆରମ୍ଭ ହୋଇଗଲାଣି। ସେପଟେ, ରାଜ୍ୟରେ ଦଳୀୟ ସଂଗଠନରେ ବାରମ୍ବାର ଗୁଞ୍ଜରିତ ହେଉଥିବା ଧର୍ମେନ୍ଦ୍ର ନାରା ବି କୁଆଡେ ଗଲା ବୋଲି ଖୋଦ୍ ଗେରୁଆ ଶିବିରରେ ଚର୍ଚ୍ଚ। ଜୋର ଧରିଛି।

ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏହି ପରାଜୟକୁ ବିଧିବଦ୍ଧ ଭାବେ ସ୍ବୀକାର କରିବାକୁ ବି ବିଜେପିର କୌଣସି ଛାମୁଆ ନେତା ସାମ୍ନାକୁ ନ ଆସିବା ଚର୍ଚ୍ଚାକୁ ଅଧିକ ବଢାଇ ଦେଇଛି। ଏହି ପରିପ୍ରେକ୍ଷୀରେ ଜାତୀୟ ରାଜନୀତିରେ ବ୍ୟସ୍ତ ଥିବା ଧର୍ମେନ୍ଦ୍ର ବାବୁଙ୍କୁ ବାଦ୍ ଦେଇ ଆଗକୁ ରାଜ୍ୟ ବିଜେପି ଚାଲିବ କି ବୋଲି ବି ଆଲୋଚନା ଆରମ୍ଭ ହେଲାଣି।

ମୋଟ୍ ଉପରରେ କହିବାକୁ ଗଲେ ଏହି ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବା ତାଙ୍କ ନିଜ ଜନ୍ମମାଟି ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକର 8 ନମ୍ବର ଜୋନ୍ ରେ ଧର୍ମପତ୍ନୀ ମୃଦୁଳା ପ୍ରଧାନଙ୍କ ନେତୃତ୍ବରେ ପ୍ରଚାର ଜୋରସୋର ଚାଲିଥିଲା। ତଥାପି ଏଠାରେ ବି ବିଜେପି ପ୍ରାର୍ଥୀଙ୍କୁ ଧୂଳି ଚାଟିବାକୁ ପଡିଛି। ଏହା କହିବାକୁ ଗଲେ ଧର୍ମେନ୍ଦ୍ରଙ୍କ ପାଇଁ ଶକ୍ତ ଧକ୍କା ପାଲଟିଛି। ଅପରପକ୍ଷେ, ଆଉ ଏକ ଗୋଷ୍ଠୀର କହିବା କଥା ହେଲା ଯେ, ତାଙ୍କ ନେତୃତ୍ବରେ ବିଜେପୁର ଉପ ନିର୍ବାଚନ ଏବଂ 2019 ସାଧାରଣ ନିର୍ବାଚନ ଦଳ ଲଢିଥିଲେ ମଧ୍ୟ 120 ବିଧାନସଭା ଆସନ ଲକ୍ଷ୍ୟ ପାଇଁ ଲୋକହସା ହେବାକୁ ପଡିଥିଲା। ତେଣୁ, ତାଙ୍କୁ ରାଜ୍ୟର ଦଳୀୟ ବ୍ୟାପାରରୁ ବାଦ୍ ଦିଆଯାଇଛି ବୋଲି ଆଲୋଚନା ଆରମ୍ଭ ହୋଇଛି।

Comments are closed.