ମାଛ ଚାଷ ଦେଲା ଜୀବିକା, ଆତ୍ମନିର୍ଭର ହେଲେ ମହିଳା ଗୋଷ୍ଠୀ

ସମ୍ବଲପୁର: ମାଛ ଚାଷ ଦେଇଛି ଜୀବିକା। ମାଛ ଚାଷ କରି କେବଳ ଗୋଟିଏ ଏଏସଜି ନୁହେଁ ବରଂ ସହଯୋଗ ଓ ସହଭାଗିତାରେ ଗୋଟିଏ ଗାଁର ମହିଳା ମାନେ ହୋଇପାରିଛନ୍ତି ସଶକ୍ତିକରଣ । ଏଭଳି ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର ବାହାମ ଗ୍ରାମ ପଞ୍ଚାୟତର ବାରିବନ୍ଧ ନିକଟସ୍ଥ ପୁଡାପଡା ଗ୍ରାମରେ ।

ଏହି ଗାଁରେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ସେମାନଙ୍କ ମଧ୍ୟରୁ ମାଁ ସାରଦା ସ୍ୱୟଂ ସହାୟକ ଗୋଷ୍ଠୀ ଦେଖାଇଛି ନିଆରା ନିଦର୍ଶନ । ଏହି ଗୋଷ୍ଠୀର ସଭାନେତ୍ରୀ ମଞ୍ଜରୀ ସିଂ, ସଂପାଦିକା ତପସ୍ବିନୀ ସିଂ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସଭ୍ୟ ବାହାମ ଗ୍ରାମ ପଞ୍ଚାୟତରୁ ୩୦ ହଜାର ଟଙ୍କାରେ ଏକ ବନ୍ଧକୁ ନିଲାମରେ ନେଇ ୨୦ ହଜାର ଟଙ୍କାର ମାଛ ଯାଆଁଳା ଚାଷ କରି ସେମାନେ ହୋଇପାରିଛନ୍ତି ଲକ୍ଷପତି । ଅବଶ୍ୟ ଏଭଳି ଚାଷ ପାଇଁ ଯୁଯୋମୁରା ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ଓ ଓଏଲଏମ ଠାରୁ ପ୍ରୋତ୍ସାହିତ ହୋଇଥିବା କହି ଓଡିଶା ଜୀବିକା ମିଶନ୍ ପକ୍ଷରୁ ତାଲିମ ଗ୍ରହଣ କରି ମାଛ ଚାଷ ପାଇଁ କେବଳ ମନ ବଢାଇ ନାହାନ୍ତି ବରଂ ମହିଳା ସଂହତି ନେଇ ପୁଡାପଡାର ସମସ୍ତ ମହିଳା ଗୋଷ୍ଠୀକୁ ଏଥିରେ ସାମିଲ କରି ଜିଲ୍ଲା ଓ ସାରା ଓଡିଶାରେ ଏହି ଗାଁ ଦେଖାଇଛି ମହିଳା ସଂହତିର ନୂତନ ନିଦର୍ଶନ । ଫଳରେ ଏହି ମାଛ ଚାଷରେ ମାଁ ସାରଦା ସହିତ ମାଁ ଜଗଦମ୍ବା, ଶୁଭଲକ୍ଷ୍ମୀ ଓ ସରସ୍ୱତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଭ୍ୟା ମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହାର ସତ୍ୟତା ଆଜି ପୁଡାପଡା କଣ୍ଟାରୁ ମାଛ ଧରାଯିବା ଦୃଶ୍ୟରୁ ପରିସ୍ପୁଟିତ ହୋଇଛି ।

ଗତ ୨୦୧୫ ରେ ଗଠିତ ହୋଇଥିବା ମାଁ ସାରଦା ଏଏସଜି ୭ ବର୍ଷର ପୁରୁଣା ହୋଇଥିଲେ ବି ମହିଳା ମାନଙ୍କ କାର୍ଯ୍ୟ ଦକ୍ଷତା ଓ ପରାକାଷ୍ଠା ସେମାନଙ୍କୁ କେବଳ ଅର୍ଥନୈତିକ କ୍ଷେତ୍ରରେ ନୁହେଁ ବରଂ ସାମାଜିକ ସ୍ତରରେ ବି ପ୍ରତିଷ୍ଠିତ କରିପାରିଥିବା ଗାଁର ଲିଲିମା ସିଂ, ମଉନାବତୀ ପ୍ରଧାନ, ସୁମିତ୍ରା ମିର୍ଦ୍ଧା, ଲିଲିମା ପ୍ରଧାନ, ଋକ୍କୁଣୀ ବାଗ୍, ଲିଲିମା ମିର୍ଦ୍ଧା, ହୀରା ବାଗ୍, ଅନୁପମା ବାଗ୍, ଅଞ୍ଜଳି ସିଂ ଭଳି ଅନେକ ମହିଳା ନିଜ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ସେମାନଙ୍କୁ ଉପଯୁକ୍ତ ତାଲିମ୍ ,ସାମାଜିକ ବ୍ୟକ୍ତିଙ୍କ ପ୍ରୋତ୍ସାହନ ତଥା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହଯୋଗ ସେମାନଙ୍କୁ ସଶକ୍ତ କରିବାର ଆଧାର ଯୋଗାଉଥିବା ସହିତ ଏହାକୁ ଅବ୍ୟାହତ ରଖାଗଲେ ସମଗ୍ର ଓଡିଶାରେ ପୁଡାପଡା ର ଏହି ସବୁ ଗୋଷ୍ଠୀ ମହିଳା ସଶକ୍ତର ସାଜିବେ ଅନନ୍ୟ ଉଦାହରଣ ।

Comments are closed.