ତୈଳଦର ବୃଦ୍ଧି ପ୍ରସଙ୍ଗରେ ଲୋକସଭାରେ ବିରୋଧୀଙ୍କ ହୋହଲ୍ଲା, ପ୍ରଶ୍ନକାଳ ଓ ଶୂନ୍ୟକାଳ ସ୍ଥଗିତ

ନୂଆଦିଲ୍ଲୀ : ତୈଳଦର ବୃଦ୍ଧି ପ୍ରସଙ୍ଗରେ ମଙ୍ଗଳବାର ପୁଣି ଲୋକସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ତରଫରୁ ହଙ୍ଗାମା ଦେଖିବାକୁ ମିଳିଛି ।

ଆଜି ଲୋକସଭା ବୈଠକ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଦରବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସେ ଦାବି କରିଥିଲେ।

ଏହା ପରେ ଡିଏମକେ ଏବଂ ତୃଣମୂଳ କଂଗ୍ରେସର ସଦସ୍ୟମାନେ ମଧ୍ୟ ଦରବୃଦ୍ଧି ପ୍ରସଙ୍ଗରେ କିଛି କହିବାକୁ ଚାହୁଁଥିଲେ। କିନ୍ତୁ ଲୋକସଭା ବାଚସ୍ପତି ଓମ ବିର୍ଲା ସେମାନଙ୍କୁ ଅନୁମତି ନ ଦେଇ ପ୍ରଶ୍ନକାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୟରେ ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ଟେବୁଲ ନିକଟରେ ପହଞ୍ଚି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନଙ୍କ ହାତରେ ପ୍ଲାକାର୍ଡ ମଧ୍ୟ ଥିଲା।

ସଦସ୍ୟମାନଙ୍କ ହଟ୍ଟଗୋଳ ମଧ୍ୟରେ କିଛି ସମୟ ପାଇଁ ଲୋକସଭା ବାଚସ୍ପତି ପ୍ରଶ୍ନକାଳ ପରିଚାଳନା କରିଥିଲେ। ଏହି ସମୟରେ ସଦସ୍ୟମାନେ ଖାଦ୍ୟ ଏବଂ ପ୍ରକ୍ରିୟାକରଣ, ଗ୍ରାମୀଣ ବିକାଶ ଏବଂ କୃଷି ମନ୍ତ୍ରଣାଳୟ ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ ଏବଂ ସଂପୃକ୍ତ ମନ୍ତ୍ରୀମାନେ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇଥିଲେ।

ହୋହଲ୍ଲା ବଢୁଥିବା ଦେଖି ବାଚସ୍ପତି ଓମ ବିର୍ଲା ଗୃହକାର୍ଯ୍ୟ ଆରମ୍ଭ ହେବାର ଅଧ ଘଣ୍ଟା ପରେ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଥିଲେ।

ପୁଣି ୧୨ ଟାରେ ଗୃହକାର୍ଯ୍ୟ ପୁନଃ ଆରମ୍ଭ ହେବାପରେ ବିରୋଧୀ ଦଳ ସଦସ୍ୟ ଦରବୃଦ୍ଧି ନେଇ ନାରାବାଜି କରିଥିଲେ | ବିରୋଧୀ ଦଳର ସଦସ୍ୟମାନେ ସ୍ଲୋଗାନ ଦେବା ସହ ଏହି ପ୍ରସଙ୍ଗରେ ପ୍ଲାକାର୍ଡ ଦେଖାଇ ବାଚସ୍ପତିଙ୍କ ଆସନ ସାମ୍ନାକୁ ଆସିଯାଇଥିଲେ ।

Comments are closed.