ଚୈତ୍ର ପୂର୍ଣ୍ଣିମା ଅଵସରରେ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା

ପ୍ରସିଦ୍ଧ ହିଙ୍ଗୁଳା ମନ୍ଦିର ( ହିଙ୍ଗୁଳା ପୀଠ) ତାଳଚେର ଗଡ଼ର ଗୋପାଳପ୍ରସାଦ ଗ୍ରାମରେ ଅବସ୍ଥିତ । ଏହି ଅଗ୍ନୀରୂପା ମା’ ପରମ ବୈଷ୍ଣବୀ ନାରାୟଣୀ ଶୁମ୍ଭ ନିଶୁମ୍ବଙ୍କୁ ବଧ କରି ସୁବଳ ଓ ଦୁନ୍ଦୁଭିଙ୍କୁ ମାରିବାକୁ ଗଲାବେଳେ ତାଙ୍କ ସହ ଅଷ୍ଟ ମହାବିଦ୍ୟା ଯାଇଥିଲେ । ସେହି ଅଷ୍ଟମହାବିଦ୍ୟାଙ୍କ ମଧ୍ୟରେ ମା ହିଙ୍ଗୁଳା ଅନ୍ୟତମ । ତାଳଚେରସ୍ଥ ଏହି ପ୍ରସିଦ୍ଧ ହିଙ୍ଗୁଳାଙ୍କ ସମ୍ପର୍କରେ ଜନଶ୍ରୁତିରୁ ଜଣାଯାଏ ଯେ, ଏଠାରେ ପ୍ରବାହିତ ସିଙ୍ଗଡା ନଦୀରେ ଅକସ୍ମାତ ଜ୍ୱାଳାମୁଖୀ ଅଗ୍ନିଙ୍କର ଆବିର୍ଭାବ ଘଟିଲେ ହିଙ୍ଗୁଳାଙ୍କ ଅଧିଷ୍ଠାନ କରାଯାଉଥିଲା ଏବଂ କାଳକ୍ରମେ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ଅଗ୍ନିଜ୍ୱାଳା ରୂପେ ପୂଜିତା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ହେବାରେ ଲାଗିଲା । କ୍ରମେ ଏହା ହିଙ୍ଗୁଳାପୀଠକୁ ରୂପାନ୍ତରିତ ହେଇଥିଲା ।

ରାଜ୍ୟର ଇଷ୍ଟଦେବୀ ରୂପେ ମା ହିଙ୍ଗୁଳା ନନ୍ଦରାଜା ବିଦ୍ଧର୍ବରେ ପୂଜା ପାଉଥିଲେ । ମାଆଙ୍କ କୃପାରୁ ରାଜା ନନ୍ଦ ସଦାସର୍ବଦା ଅମୃତମଣୋହୀ କରୁଥିଲେ । ହିଙ୍ଗୁଳାଙ୍କ ମହିମାରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ସୁସ୍ୱାଦୁ ହେଉଥିଲା । ସେହି ସମୟରେ ପୁରୀରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସ୍ୱାଦଯୁକ୍ତ ହେବ ସେଥିପାଇଁ ଗଜପତି ମହାରାଜ ବାଟ ଖୋଜୁଥିଲେ । ସ୍ୱପ୍ନାଦେଶ ପାଇ ସେ ମା ହିଙ୍ଗୁଳାଙ୍କ ଶରଣାପନ୍ନ ହେଲେ । ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ । ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ସ୍ୱାଦିଷ୍ଟ ହେଲା । ମା ହିଙ୍ଗୁଳା ଶ୍ରୀକ୍ଷେତ୍ରକୁ ଯିବା ବାଟରେ ତାଳଚେର ଗଡ଼ର ଗୋପାଳପ୍ରସାଦଠାରେ ଅବସ୍ଥାପିତ ହେଲେ ଏବଂ ଏହା ହିଙ୍ଗୁଳା ପୀଠ ଭାବେ ଖ୍ୟାତ ହେଲା ।

ହିଙ୍ଗୁଳା ଯାତ୍ରା:- ବର୍ଷସାରା ମା ହିଙ୍ଗୁଳାଙ୍କ ପୀଠରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ବାସନ୍ତୀକ ପୂଜା ବା ହିଙ୍ଗୁଳା ଯାତ୍ରା ସର୍ବାଧିକ ଲୋକପ୍ରିୟ । ହିଙ୍ଗୁଳା ଯାତ୍ରା ଚୈତ୍ର ଶୁକ୍ଳ ପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଥାଏ । ନିର୍ଦ୍ଦିଷ୍ଟ ବିଧି ଅନୁଯାୟୀ ନଅଦିନ ବ୍ୟାପି ଏହି ଯାତ୍ରା ହୋଇଥାଏ । ମା ହିଙ୍ଗୁଳାଙ୍କ ଆବିର୍ଭାବ ପୂର୍ବରୁ ମୁଖ୍ୟ ପୂଜକଙ୍କୁ ସ୍ୱପ୍ନାଦେଶ ହୁଏ । ନିର୍ଦ୍ଦିଷ୍ଟ ଉଭା ସ୍ଥଳରେ ମାଙ୍କ ଅଗ୍ନିପିଣ୍ଡୁଳା ଦୃଶ୍ୟମାନ ହୁଏ । ଦେହୁରୀ ଶାବରୀ ମନ୍ତ୍ରରେ ଆରାଧନା କରି ଉଭା ହୋଇଥିବା ମାଙ୍କୁ ବଶୀଭୂତା କରିବା ପରେ ପୂଜାର୍ଚ୍ଚନା କରାଯାଏ ଓ ପଥର କୋଇଲା ସଂଗ୍ରହ କରି ଉଭାସ୍ଥଳୀରେ ଅର୍ପଣ କରାଯାଏ । ଏହା ପଥର କୋଇଲା ଚରା ପଥର ଭାବେ ଖ୍ୟାତ । ଯାତ୍ରା ଦିନ ସକାଳୁ ତାଳଚେର ରାଜାଙ୍କ ପ୍ରଦତ୍ତ ପାଟ ଚାନ୍ଦୁଆ ଉଭାସ୍ଥଳୀ ନିକଟରେ ଲାଗିହୁଏ । ହିଙ୍ଗୁଳା ପୀଠରେ ଭକ୍ତ ନିଜେ ତାର ନୈବେଦ୍ୟ ନିଜର ଆରାଧ୍ୟ ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାଏ ।

Comments are closed.