ନାଟକ ‘ଆହେ ନୀଳଶଇଳ’: ଜଗନ୍ନାଥ ସଂସ୍କୃତି ସହ ଓଡ଼ିଆ ଅସ୍ମିତାର ପ୍ରସାର ଦିଗରେ ମାଇଲଖୁଣ୍ଟ

ଭୁବନେଶ୍ବର : କୋଟି ଆରାଧ୍ୟଙ୍କ ଆରାଧ୍ୟ ଜଗତର ନାଥ ଜଗନ୍ନାଥ। ବିଶ୍ବବିଦିତ ତାଙ୍କ ମହିମା। ଆଉ ଜଗନ୍ନାଥଙ୍କ ହିଁ ହେଉଛନ୍ତି ଓଡିଆଙ୍କ ଅସ୍ମିତାର ପ୍ରତୀକ। ତେବେ, ତାଙ୍କ ମହିମାକୁ ଆହୁରି ଦିଗନ୍ତବିସ୍ତାରୀ କରିବାର ପ୍ରଚେଷ୍ଟାରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେଉଥିବା ଆହେ ନୀଳଶଇଳ ନାଟକ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରତିଟି ଜଗନ୍ନାଥପ୍ରେମୀ ମହଲରେ ମତପ୍ରକାଶ ପାଇଛି। ସମ୍ବାଦ ରେଡିଓ ଚକଲେଟ୍ ପ୍ରସ୍ତୁତ ଏହି ନାଟକ ଗତ ଅପ୍ରେଲ ମାସରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହେବା ପରେ ପୁଣି ଥରେ ରଥଯାତ୍ରା ଅବସରରେ ଆୟୋଜିତ ହୋଇଛି। ଆଉ ଏହା ଲୋକଙ୍କୁ ଜଗନ୍ନାଥ ଭାବଧାରାରେ ବାନ୍ଧିବାକୁ ଏକ ବଳିଷ୍ଠ ମାଧ୍ୟମ ଭାବେ ପରିଣତ ହୋଇଛି।

ଓଡିଆ ଯେତେ ନିଃସ୍ବ ହେଲେ ବି କେବେ ବି ତାର ଆରାଧ୍ୟ ଜଗନ୍ନାଥଙ୍କ ପ୍ରତି କାର୍ପଣ୍ୟତା ପ୍ରକାଶ କରିପାରେ ନାହିଁ। ଜଗନ୍ନାଥଙ୍କ ବିନା ଓଡିଆର ଅସ୍ତିତ୍ବ ନାହିଁ। ଆଉ ସେହି ପ୍ରାଣ ଦେବତାଙ୍କ ସୁରକ୍ଷା ପାଇଁ ପ୍ରତିଟି ଓଡିଆ ରକ୍ତପାତ କରିବାକୁ ବି ପଛାଏ ନାହିଁ। ଏଥିପାଇଁ ତ ଜଗନ୍ନାଥଙ୍କ ଉପରକୁ ଯେତେବେଳେ ବି କୌଣସି ବିପଦ ଆସିଛି ସେହି ଜଗତନିଅନ୍ତାଙ୍କ ନିର୍ଦ୍ଦଶେରେ ଓଡିଆ ଅସ୍ତ୍ର ଉଠାଇଛି। ପ୍ରତିରୋଧ କରିଛି। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ସାରସ୍ବତ ସାଧକ ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ରଚନା ନୀଳଶୈଳର ପ୍ରେରଣାରେ ଶଙ୍କର ତ୍ରିପାଠୀ ଏବଂ ଡ. ପ୍ରତିମା ହୋତାଙ୍କ ଦ୍ବାରା ରଚିତ ଏହି ନାଟକରେ ଜଗନ୍ନାଥଙ୍କୁ ନେଇ ଓଡିଆ କେତେ ସମ୍ବେଦନଶୀଳ ତାହା ଅତି ମାର୍ମିକ ଭାବେ ବର୍ଣନା କରାଯାଇଛି।

ମୁସଲମାନ ରାଜା ନାଏବ ନାଜିମର କୁଦୃଷ୍ଟିରୁ ଜଗନ୍ନାଥଙ୍କୁ ରକ୍ଷା କରିବାକୁ ହୋଇଥିବା ସଂଗ୍ରାମକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି। ନାଟକର କଥାବସ୍ତୁ ତଥା କଳାକାରଙ୍କ ପ୍ରଦର୍ଶନ ସମସ୍ତ ଦର୍ଶକଙ୍କ ଆଖିରେ ଅଶ୍ରୁ ଆଣି ଦେଉଛି। ବର୍ତ୍ତମାନ ଓଡିଶାରୁ ଆରମ୍ଭ କରି ସାରା ଦେଶର ନାଟ୍ୟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି।

ଗତ 8 ତାରିଖରୁ ପୁଣି ଆରମ୍ଭ ହୋଇଥିବା ଏହି ନାଟକ ଆଜି ତୃତୀୟ ତଥା ଅନ୍ତିମ ରଜନୀ ପାଇଁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି। ଏଥିରେ ଖ୍ୟାତନାମା ନାଟ୍ୟକାର ତଥା ନିର୍ଦ୍ଦଶେକ ଲାଲା ବିରେନ ରାୟଙ୍କ ନିର୍ଦ୍ଦଶେନାରେ ମଞ୍ଚସ୍ଥ ଏହି ନାଟକର ବିଭିନ୍ନ ଭୂମିକାରେ ଯଥା ଗଜପତି ରାମଚନ୍ଦ୍ର ଦେବ ଭୂମିକାରେ ଲରେନ୍ସ, ମହମ୍ମଦ ତାକି ଖାନ୍ ଭୂମିକାରେ ପ୍ରକାଶ ଜେନା, ରେଜିଆ ଭୂମିକାରେ ଶ୍ରଦ୍ଧା ପାଣିଗ୍ରାହୀ ଏବଂ ସରଦେଇ ଭୂମିକାରେ ମନିଷା ରଥ ପ୍ରମୁଖଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ବେଶ୍ ସହାୟକ ହୋଇଛି। ଦିନକୁ ଦିନ ମଞ୍ଚ ନାଟକ ତାର ଲୋକପ୍ରିୟତା ହରାଇବାକୁ ବସିଥିବା ବେଳେ ଐତିହାସିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ନାଟକ ଅବିଶ୍ବସନୀୟ ପ୍ରଶଂସା ସାଉଟିବା ଉଲ୍ଲେଖନୀୟ ବିଷୟ ହୋଇଛି। ଏହା ବାସ୍ତବିକ ମଞ୍ଚ ନାଟକର ପୁନଃଉଦ୍ଧାର ତଥା ଜଗନ୍ନାଥ ସଂସ୍କୃତି ଓ ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ଦିଗରେ ଏକ ମାଇଲଖୁଣ୍ଟ ଭାବେ ଉଭା ହେବ ବୋଲି ସବୁ ନାଟ୍ୟବିତ୍ ତଥା ଦର୍ଶକ ମହଲରେ ମତପ୍ରକାଶ ପାଇଛି।

Comments are closed.