ପୁଣି ବଢ଼ୁଛି କୋଭିଡ୍ ମୃତ୍ୟୁ, ନୂଆ ଲହର ପାଇଁ ପ୍ରସ୍ତୁତ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ବିଶ୍ୱରେ ପୁଣିଥରେ କରୋନା ମୁଣ୍ଡ ଟେକିବାରେ ଲାଗିଛି। କିଛି ମାସ ପୂର୍ବେ ସ୍ଥିତି ନିୟନ୍ତ୍ରଣରେ ଥିଲା । କିନ୍ତୁ ଏବେ ପୁଣି ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ପରିବର୍ତ୍ତନଶୀଳ ଧାରାକୁ ହୃଦୟଙ୍ଗମ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଲହର ନେଇ ଆଲର୍ଟ ଜାରି କରିଛି ।

ଡବ୍ଲୁଏଚ୍ଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମିନାଥନ
କହିଛନ୍ତି ଯେ ଆମେ ବର୍ତ୍ତମାନ କରୋନାର ଅଧିକ ନୂଆ ଲହର ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ | ଯେଉଁ ସବୁ ନୂଆ ଭାରିଆଣ୍ଟ୍ ସାମ୍ନାକୁ ଆସୁଛି, ସମସ୍ତଙ୍କ ରୂପ ଭିନ୍ନ । ସେମାନେ ଅଧିକ ଦ୍ରୁତ ଗତିରେ ବ୍ୟାପୁଥିବା ମନେହୁଏ | ଯେତେ ଅଧିକ ମାମଲା ବଢ଼ିବା, ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏହି ପରିବର୍ତ୍ତନଶୀଳ ପରିସ୍ଥିତି ପାଇଁ ପ୍ରତ୍ୟେକ ଦେଶକୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ପଡିବ |

ସୌମ୍ୟା ସ୍ବାମିନାଥନ ବିଶ୍ୱ ବ୍ୟାଙ୍କ ଉପଦେଷ୍ଟା ଫିଲିପ ସ୍କେଲେକେନ୍ସଙ୍କ ଏକ ଟ୍ୱିଟ୍ ଉପରେ ମଧ୍ୟ ଟ୍ବିଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ବିଶ୍ଵର କୋଭିଡ୍ ସ୍ଥିତି ଦ୍ରୁତ ଗତିରେ ବଦଳି ଯାଇଛି । ଦୈନିକ ମାମଲା ପୁଣି ବଢ଼ିବାରେ ଲାଗିଛି। ଏହା ପୂର୍ବରୁ କମ୍ ଥିବା ମୃତ୍ୟୁ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଫିଲିପଙ୍କ ଏହି ଉଦବେଗ ଉପରେ ସୌମ୍ୟା ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି।

ଡବ୍ଲୁଏଚ୍ଓ ନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରେସସ୍ ମଧ୍ୟ ନିକଟରେ କରୋନା ସଂକ୍ରମଣ ବଢ଼ିବା ନେଇ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଭଲ ସଙ୍କେତ ନୁହେଁ।

ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଓମିକ୍ରନର ସବଭାରିଆଣ୍ଟସ୍ ବିଏ.୪ ଏବଂ ବିଏ.୫ ଯୋଗୁଁ ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ଅନେକ ଦେଶ କୋଭିଡ୍ ନେଇ ଅସାବଧାନତା ଅବଲମ୍ବନ କରୁଥିବାରୁ ଡବ୍ଲୁଏଚ୍ଓ ମୁଖ୍ୟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଟେଷ୍ଟ କମ୍ କରାଯାଉଛି, ଯେଉଁ କାରଣରୁ କୌଣସି ନୂଆ ଭାରିଆଣ୍ଟ୍ ବିଷୟରେ ଠୋସ୍ ସୂଚନା ମିଳୁନି।

ଡବ୍ଲୁଏଚ୍ଓ ମୁଖ୍ୟ ଏହା ସ୍ପଷ୍ଟ କରିଥିଲେ ଯେ କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଆଗାମୀ ସମୟରେ ଅଧିକ ଲହର ଦେଖିବାକୁ ମିଳିବ | ଏହାର ସଙ୍କେତ ମଧ୍ୟ ଦେଖାଗଲାଣି । ଗତ ସପ୍ତାହରେ ୫.୭ ନିୟୁତ କରୋନା ମାମଲା ରିପୋର୍ଟ ହୋଇଥିଲା ଯାହା ଗତଥର ତୁଳନାରେ ୬ ପ୍ରତିଶତ ଅଧିକ ଥିଲା। ମୃତ୍ୟୁସଂଖ୍ୟା ବିଷୟରେ କହିବାକୁ ଗଲେ ଗତ ସପ୍ତାହରେ ୯୮୦୦ ଲୋକ ଏହି ଭାଇରସ୍ ଯୋଗୁଁ ପ୍ରାଣ ହରାଇଥିଲେ।

Comments are closed.