ଟ୍ରୁଡୋଙ୍କ ମନ୍ତବ୍ୟର ପ୍ରତିବାଦ: କୋଭିଡ୍‌-୧୯ ଉପରେ କାନାଡା ନେତୃତ୍ୱାଧୀନ ବୈଠକ ବର୍ଜନ କରିବ ଭାରତ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ଉପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟର ପ୍ରତିବାଦରେ ଭାରତ, କାନାଡା ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ୍‌-୧୯ ଉପରେ ଆସନ୍ତା ଡିସେମ୍ବର ୭ରେ ଓଟାୱାରେ କାନାଡା ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଯୋଗଦେବେ ନାହିଁ । କୃଷି ଆଇନକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଦେଇଥିବା ମନ୍ତବ୍ୟରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଟ୍ରୁଡୋ କହିଥିଲେ ଯେ, ସେ ଭାରତୀୟ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅଧିକାରକୁ ସମର୍ଥନ କରୁଛନ୍ତି । ଏନେଇ ସେ ଭାରତୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସେ କହିଥିଲେ । ଟ୍ରୁଡୋଙ୍କ ଏହି ମନ୍ତବ୍ୟରେ ଆପତ୍ତି ଉଠାଇଥିଲା ଭାରତ । ଚାଷୀ ଆନ୍ଦୋଳନ ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ କାନାଡା ହସ୍ତକ୍ଷେପ ନ କରୁ ବୋଲି ଭାରତ ଚେତବାନୀ ଦେବା ସହ କାନାଡା ହାଇ କମିଶନଙ୍କୁ ସମନ୍ କରି ଟ୍ରୁଡୋଙ୍କ ମନ୍ତବ୍ୟର ପ୍ରତିବାଦ ଜଣାଇଥିଲା । ଟ୍ରୁଡୋଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି ଭାରତ କହିଥିଲା ।

Comments are closed.