ଗଞ୍ଜାମ: ପରିବର୍ଦ୍ଧିତ ହେବ ସହରାଞ୍ଚଳ ସ୍ବାସ୍ଥ୍ୟ ସେବା

ଛତ୍ରପୁର: ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ବିକଶିତ କରିବା ପାଇଁ ବ୍ୟାପକ ସଂଖ୍ୟାରେ ଡାକ୍ତର ତଥା ମାନବ ସମ୍ବଳ ନିଯୁକ୍ତ କରିଛନ୍ତି। ଏହାଦ୍ବାରା ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକଙ୍କୁ ଅଧିକ ମାତ୍ରାରେ ସ୍ବାସ୍ଥ୍ୟସେବା ଯୋଗାଇହେବ। ତେଣେ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ପରିବର୍ଦ୍ଧିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଜସ୍ୱ ଉଦ୍ୟମରେ ଅଧିକ ସଂଖ୍ୟକ ସହରାଞ୍ଚଳ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର (ହେଲଥ୍ ୱେଲ୍‌ନେସ୍ ସେଣ୍ଟର) ଖୋଲିବାକୁ ଯାଉଛନ୍ତି । ଅଗଷ୍ଟ ମାସ ମଧ୍ୟଭାଗ ସୁଦ୍ଧା ଜିଲ୍ଲାର ବ୍ରହ୍ମପୁର ସମେତ ସଦର ମହକୁମା ଛତ୍ରପୁର, କୋଦଳା ଓ ପୋଲସରା ସହରରେ ମୋଟ ୧୨ଟି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଜରିଆରେ ସହରବାସୀଙ୍କୁ ହାତପାଆନ୍ତାରେ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଫଳରେ ସେହି ପୌରାଞ୍ଚଳ ତଥା ବ୍ଲକ୍‌ରେ ଥିବା ପ୍ରାଥମିକ ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଭିଡ଼ ହ୍ରାସ ପାଇବ। ପ୍ରତିଟି ସେଣ୍ଟର ଜରିଆରେ ପ୍ରାୟ ଜରିଆରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାବାସୀ କିଭଳି ଶୀଘ୍ରରୁ ଅତି ଶୀଘ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉପକୃତ ହୋଇପାରିବେ ସେଥପ୍ରତି ଗୁରୁତ୍ବ ଦିଆଯାଇଥିଲା। ସେଥିପାଇଁ ନିଷ୍ପତ୍ତି ହୋଇଛି ଯେ ବ୍ରହ୍ମପୁରରେ ଅଗଷ୍ଟ ମାସ ପ୍ରଥମ ସପ୍ତାହ ସୁଦ୍ଧା ଏଭଳି ଦୁଇଟି ହେଲଥ୍ ୱେଲନେସ୍ ସେଣ୍ଟର କାର୍ଯ୍ୟକ୍ଷମ କରାଯିବ। ସେହିପରି ଆସନ୍ତା ୨୦ ଦିନ ମଧ୍ୟରେ ବ୍ରହ୍ମପୁର ମହାନଗରରେ ଆଉ ୪ଟି ସମେତ ଅନ୍ୟ ୩ଟି ସହରରେ ମୋଟ ୬ଟି ଏଭଳି ସେଣ୍ଟର୍ କାର୍ଯ୍ୟକ୍ଷମ କରାଯିବ। ଏଥିସକାଶେ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ମଧ୍ୟ ଯୋଜନା ହୋଇଛି। ପ୍ରାଥମିକତା ଭିଭିରେ ୨୫ ଶହ ବର୍ଗଫୁଟ ନଚେତ ବିଶେଷ ପରିସ୍ଥିତିରେ ୧୮ ଶହ ବର୍ଗଫୁଟ ପରିମିତ ଗୃହରେ ଏହି କେନ୍ଦ୍ର ଖୋଲାଯିବ‌। ଯଦି ସରକାରୀ କୋଠା ଉପଲବ୍ଧ ତେବେ ଭଲ, ନଚେତ୍ ଭଡ଼ା ଘର ଯୋଗାଡ଼ କରି ଯଥାଶୀଘ୍ର ଏହି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡ଼ିକ ଖୋଲାଯିବ। ଠିକା ଭିତ୍ତିରେ ନିଯୁକ୍ତ ହେବେ ଡାକ୍ତର, ଫିଜିଓ ଥେରାପିଷ୍ଟ, ଯୋଗ ଶିକ୍ଷକ ଏବଂ ଅନ୍ୟ ପାରା ମେଡିକାଲ ଷ୍ଟାଫ୍। କେବଳ ଯେ ରୋଗର ଚିକିତ୍ସା ନୁହେଁ, ବରଂ ଏଥିସହ ସୁସ୍ଥ ଜୀବନଶୈଳୀ ଯାପନ ପାଇଁ ଲୋକଙ୍କୁ ଏଠାରେ ପରାମର୍ଶ ଦିଆଯିବ।

ସହରାଞ୍ଚଳ ଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଥିବା ପ୍ରାଥମିକ ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ୟତୀତ ଏହି କେନ୍ଦ୍ର ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ଦିଗରେ ଅଧିକ ସହାୟକ ହୋଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ। ବ୍ରହ୍ମପୁର ମିନାକ୍ଷୀ ନଗରସ୍ଥିତ କର୍ପୋରେସନ୍ କୋଠା, ଆଙ୍କୁଲିସ୍ଥିତ ଡିସପେନ୍‌ସାରୀ, ଗୋସାଇଁନୂଆଗାଁ ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ, ଆମ୍ବପୁଆ ଗାଁ ଗୋଷ୍ଠୀ କେନ୍ଦ୍ର, ତୁଳସୀନଗର ଦ୍ଵିତୀୟ ଗଳିରେ ଭଡ଼ା ଗୃହ ନେଇ ଏବଂ ମାଟିଗାଁରେ ଆଉ ଏକ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିବ। ଅନ୍ୟ ୩ଟି ସହରରେ ସେହିଭଳି ୬ଟି ଏପରି ସେଣ୍ଟର୍ ଖୋଲିବ। ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଉଲ୍ଲେଖଯୋଗ୍ୟ ଯେ- କେନ୍ଦ୍ରୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ବ୍ରହ୍ମପୁର ମହାନଗରରେ କେତେକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ୍ ପ୍ରାଇମେରୀ ହେଲଥ୍ ସେଣ୍ଟର୍- ୟୁପିଏସି) କାର୍ଯ୍ୟ କରୁଛି। ତଥାପି ସହରମାନଙ୍କରେ ଲଗାତାର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ହେଲଥ୍ ୱେଲ୍‌ନେସ୍ ସେଣ୍ଟର ଖୋଲିବାକୁ ଯାଉଛନ୍ତି । ବ୍ରହ୍ମପୁର ସହରରେ ଏବେ ଜନସଂଖ୍ୟା ପ୍ରାୟ ୫ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ଦୈନିକ ଲକ୍ଷାଧିକ ଲୋକ ବିଭିନ୍ନ କାର୍ଯ୍ୟରେ ଏହି ମହାନଗରକୁ ଯାଆସ କରୁଛନ୍ତି। ଏଣୁ ସ୍ୱାସ୍ଥ୍ୟ ଆବଶ୍ୟକତା ମଧ୍ୟ ପୂର୍ବାପେକ୍ଷା ବ୍ୟାପକ ବୃଦ୍ଧି ପାଇଛି। ସହର ଉପକଣ୍ଠ ଲୋକ ମଧ୍ୟ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସିଟି ହସ୍ପିଟାଲ୍ ଉପରେ ନିର୍ଭର କରୁଛନ୍ତି । ଏବେ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିଲେ ଲୋକେ ଅଧିକ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ।

Comments are closed.