ଗଞ୍ଜାମ ପୋଡ଼ମପେଟାରେ ଉପକୂଳ କ୍ଷୟ, ପ୍ରତିକାର ପାଇଁ ସହଯୋଗ କରିବ ଏନ୍‌ଆଇଓଟି

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡ଼ମପେଟା, ଆର୍ଜିପଲ୍ଲୀ ସମେତ ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ ଅନ୍ତର୍ଗତ ଅନେକ ଅଞ୍ଚଳରେ ସମୁଦ୍ର ତଟ କ୍ଷୟ ଗତ କିଛି ବର୍ଷ ହେଲା ଏକ ଧିମା ଅଥଚ ଗୁରୁତର ପରିବେଶ ତଥା ପ୍ରାକୃତିକ ବିପର୍ଯ୍ୟୟ ରୂପେ ଆଗକୁ ଆସିବାରେ ଲାଗିଛି। ଗତ ଅର୍ଦ୍ଧ ଦଶନ୍ଧି ମଧ୍ୟରେ ଆର୍ଜିପଲ୍ଲୀ ଓ ପୋଡ଼ମପେଟା ଗ୍ରାମର ଅର୍ଦ୍ଧାଧିକ ଅଂଶ ସମୁଦ୍ର ଗର୍ଭରେ କ୍ରମଶଃ ଲୀନ ହୋଇଗଲାଣି। ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ପୋଡ଼ମପେଟାରେ ସମୁଦ୍ର କୂଳ ଲଂଘି ଗାଁକୁ ନିଜ ମଧ୍ୟରେ ମିଶାଇ ଦେଇଛି। ରବିବାର ସମୁଦ୍ର ତଟକୁ ଲାଗି ବାଲୁକା ଶଯ୍ୟାରେ ଥିବା ୬ଗୋଟି ଘରକୁ ଉଜାଡ଼ି ଦେଇ ବଙ୍ଗୋପସାଗର ପାଣିରେ ବୁଡ଼ାଇ ଦେଇଛି। ଏକଦା ସମୁଦ୍ର ତଟରୁ ଅନେକ ଦୂରରେ ଥିବା ଏହି ଗାଁର ଘରଗୁଡ଼ିକ ଏବେ ଉପକୂଳ କ୍ଷୟ ଯୋଗୁଁ ଗୋଟିଏ ପରେ ଗୋଟିଏ ସାଗର ଆଁରେ ଅସ୍ତିତ୍ବ ହରାଇ ବାରେ ଲାଗିଛି। ତେବେ ଏହି ଘରଗୁଡ଼ିକରେ କେହି ରହୁନଥିବାରୁ କୈାଣସି ଧନଜୀବନ ହାନି ଘଟିନି।

ସଙ୍କଟଗ୍ରସ୍ତ ଗଞ୍ଜାମ ଜିଲ୍ଲା ଉପକୂଳ। କିଛି ବର୍ଷ ହେଲା ନିୟମିତ ବ୍ୟବଧାନରେ ସମୁଦ୍ରତଟ କ୍ଷୟଜନିତ ଘଟଣା ବାରମ୍ବାର ନଜରକୁ ଆସୁଛି। ରବିବାର ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତ ପୋଡ଼ମପେଟା ଗାଁରେ ସମୁଦ୍ରରେ ଲୀନ ହୋଇଛି ଆଉ ୬ଗୋଟି ଘର। ଲଗାତାର ସମୁଦ୍ର ଆଁ ମଧ୍ୟକୁ ଯିବାରେ ଲାଗିଥିବା ଏହି ଉପକୂଳବର୍ତ୍ତୀ ଗ୍ରାମରେ ଆଉ ମାତ୍ର ୭ଟି ପରିବାର ରହୁଛନ୍ତି। ସେମାନଙ୍କ ଘର ମଧ୍ୟ ସମୁଦ୍ରରେ ଦିନେ ନା ଦିନେ ମିଶିଯିବ ତାହା ଜଳ ଦିଶୁଛି। ତେବେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଏହି ଗାଁର ୪୦ରୁ ଉର୍ଦ୍ଧ୍ବ ପରିବାର ସୁରକ୍ଷିତ ନୂତନ ଜନବସତିକୁ ସ୍ଥାନାନ୍ତର ହୋଇ ନିଜର ପକ୍କା ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏବେ ଗାଁ ପାଖକୁ ସମୁଦ୍ର ଆସି ଯାଇଥିଲା ବେଳେ ପରିତ୍ୟକ୍ତ ଘରଗୁଡ଼ିକ ମଧ୍ୟରେ ସମୁଦ୍ର ପାଣି ପଶିବା ସହ ସମୁଦ୍ରତଟ ବାଲୁକା ଶଯ୍ୟା ଧସି ଘର ଭାଙ୍ଗିଯିବାରେ ଲାଗିଛି। କେବଳ ପୋଡ଼ମପେଟା ନୁହେଁ, ନିକଟବର୍ତ୍ତୀ ଆର୍ଜିପଲ୍ଲୀ, କଣ୍ଟିଆଗଡ଼ ଆଦି ଗାଁର ସମୁଦ୍ରକୂଳ ମଧ୍ୟ କ୍ଷୟ ହେବାରେ ଲାଗିଛି। ଏକଦା ସମୁଦ୍ର ତଟରୁ ୧.୨ କିଲୋମିଟର ଦୂରରେ ଥିବା ଆର୍ଜିପଲ୍ଲୀ ଗାଁ ତଟକ୍ଷୟ ଯୋଗୁଁ ଏବେ ବେଳାଭୂମି ଠାରୁ ମାତ୍ର କିଛି ମିଟର ଦୂରରେ ରହିଛି। କେତେବେଳେ ସମୁଦ୍ର ପାଣି ଗାଁକୁ ମାଡି ଆସିବ, ଜୁଆର ମାଡ଼ରେ ଘରଗୁଡିକ ସମୁଦ୍ରଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନି। ଗତ ଦଶନ୍ଧିରେ ବାରମ୍ବାର ମହାବାତ୍ୟା ସୃଷ୍ଟି ହୋଇ ଏଭଳି ବିପର୍ଯ୍ୟୟକୁ କେବଳ ତ୍ବରାନ୍ବିତ କରୁଛି। ଲହଡ଼ି ମାଡ଼ରେ ସମୁଦ୍ର ଖାଇଯାଉଥିବାରୁ ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ପାଇଁ ଅଧିକ ବିପଦ ସୃଷ୍ଟି ହେଉଛି।

ତେଣେ ସମୁଦ୍ରକ୍ଷୟର ପ୍ରତିକାର ପାଇଁ ରାଜ୍ୟ ସରକାର ନିକଟରେ ଏକ ପ୍ରଭାବୀ ପଦକ୍ଷେପ ନେବାକୁ ଯାଉଛନ୍ତି। କ୍ରମାଗତ ଉପକୂଳ ଅବକ୍ଷୟ ପାଇଁ ବିଶ୍ବ ଉତ୍ତପ୍ତୀକରଣ (ଗ୍ଲୋବାଲ ୱାର୍ମି୍ଂ)କୁ ଦାୟୀ କରୁଛନ୍ତି ବୁଦ୍ଧିଜୀବୀ। ଏଣୁ ଉପକୂଳ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦି, ପ୍ରଭାବୀ, ପରିବେଶ ଅନୁକୂଳ ଯୋଜନା ପ୍ରସ୍ତୁତି କରିବାକୁ ଚେନ୍ନାଇସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଓସିନ୍ ଟେକ୍ନୋଲୋଜି (ଏନ୍‌ଆଇଓଟି) ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଯାଉଛି ରାଜ୍ୟ ଜଳସମ୍ପଦ ବିଭାଗ। କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ଅଧୀନ ଉକ୍ତ ଉଚ୍ଚ ବୈଷୟିକ ସଂସ୍ଥା ରାଜିନାମା ସ୍ବାକ୍ଷର ନିମନ୍ତେ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରି ସାରିଛନ୍ତି। ଶୀଘ୍ର ଉଭୟ ପକ୍ଷ ମଧ୍ୟରେ ଚୁକ୍ତିନାମା ପରେ ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଏନ୍‌ଆଇଓଟି ତରଫରୁ ବୈଷୟିକ ସହଯୋଗ ମିଳିପାରିବ। ଏଥିରୁ ଆମ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଗଞ୍ଜାମ ଜିଲ୍ଲା ଉପକୂଳିଆ ଅଞ୍ଚଳବାସୀ ଯେଉଁମାନଙ୍କ ଜୀବନଜୀବିକା ବଙ୍ଗୋପସାଗର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ସେମାନଙ୍କୁ ବହୁ ମାତ୍ରାରେ ଆଶ୍ୱସ୍ତି ମିଳିପାରିବ।

Comments are closed.