ମାଗଣା ଯୋଜନା ପ୍ରତିଶ୍ରୁତି ବିରୋଧରେ ଜନସ୍ବାର୍ଥ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲା ଆପ୍

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ଫ୍ରିବିଜ୍ ବା ମାଗଣା ଯୋଜନା ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳ ବିରୋଧରେ ଦାୟର ଜନସ୍ବାର୍ଥ ମାମଲାକୁ ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ଦଳ ନିଜ ଆବେଦନରେ କହିଛି ଯେ ମାଗଣା ଜଳ, ମାଗଣା ସ୍ବାସ୍ଥ୍ୟସେବା, ମାଗଣା ବିଦ୍ୟୁତ, ମାଗଣା ପରିବହନ ଭଳି ନିର୍ବାଚନ ପ୍ରତିଶ୍ରୁତି ‘ଫ୍ରିବିଜ୍’ ନୁହେଁ । କାରଣ ଅର୍ଥନୈତିକ ଅସମାନତା ଥିବା ଆମ ସମାଜରେ ଏହି ଯୋଜନାଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

ଏହି ମାମଲାରେ ଆମ୍ ଆଦମୀ ପାର୍ଟି ମଧ୍ୟ ପକ୍ଷଭୁକ୍ତ ହେବା ପାଇଁ ଦାବି କରିଛି । ମାଗଣା ଯୋଜନା ପ୍ରତିଶ୍ରୁତି ଦେବା ରାଜନୈତିକ ଦଳର ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ଅଧିକାର ବୋଲି ଆପ୍ ଯୁକ୍ତି କରିଛି। ମାଗଣା ଯୋଜନା ବିରୋଧରେ ଯେଉଁ ବ୍ୟକ୍ତି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ସେ ବିଜେପିର ଜଣେ ସଦସ୍ୟ ବୋଲି କହି ଆବେଦନକାରୀଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି ଆପ୍। ଏହା ଏକ ଜନସ୍ୱାର୍ଥ ମାମଲା ନୁହେଁ, ବରଂ ଏକ ରାଜନୈତିକ ସ୍ୱାର୍ଥ ମାମଲା ବୋଲି କହିଛି ଆପ୍।

ଅଗଷ୍ଟ ୩ରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ନୀତି ଆୟୋଗ, ଅର୍ଥ ଆୟୋଗ ଏବଂ ଆରବିଆଇ ଭଳି ସଂସ୍ଥାକୁ ନୋଟିସ୍ ଜାରି କରି ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ମାଗଣା ଯୋଜନା ପ୍ରତିଶ୍ରୁତି ଉପରେ ବିଚାର କରିବାକୁ କହିଥିଲେ ଏବଂ ଏହାର ମୁକାବିଲା ପାଇଁ ଗଠନମୂଳକ ପରାମର୍ଶ ଆହ୍ବାନ କରିଥିଲେ। ଏହି ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସରକାର ଏକ ବ୍ୟବସ୍ଥା କରିବାକୁ ସରକାରଙ୍କୁ କୋର୍ଟ କହିଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣା ଯୋଜନାର ପ୍ରତିଶ୍ରୁତି ଦେଉଥିବା ଦଳମାନଙ୍କୁ ଟାର୍ଗେଟ କରି ଏହାକୁ ‘ରେବଡୀ (ଏକପ୍ରକାର ମିଷ୍ଟାନ୍ନ) ସଂସ୍କୃତି’ ବୋଲି କହିଥିଲେ । ମୋଦୀଙ୍କ ଏଭଳି ମନ୍ତବ୍ୟର ଜବାବ ରଖିଥିଲେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ‘ରେବଡୀ ସଂସ୍କୃତି’ ନୁହେଁ ବୋଲି କେଜ୍ରିୱାଲ କହିଥିଲେ ।

Comments are closed.