ପାର୍ବଣ ଋତୁରେ ଜୁଆ ଖେଳ: ବ୍ରହ୍ମପୁର ପୋଲିସର ଜୋରଦାର ଧରପଗଡ଼

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାର୍ବଣ ଋତୁ ବିଶେଷ କରି ଦଶହରା ଓ କୁମାର ପୂର୍ଣ୍ଣିମା ବେଳେ ଜୁଆ ଖେଳ ସତେଯେମିତି ଏକ ପରମ୍ପରା ପାଲଟି ଯାଇଛି। ବାସ୍ତବରେ ପାରମ୍ପରିକ ପ୍ରଥାର ଅପଭ୍ରଂଶ ଘଟି କାଳକ୍ରମେ ଜୁଆ ଖେଳ ଓ ସେଥିରେ ବେନିୟମ ଅର୍ଥ କାରବାର ଏକ ବ୍ୟାଧିର ରୂପ ନେଇଛି। ଏପରିକି ଏହାକୁ ନେଇ ଅନେକ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଘଟୁଥିବା ନଜିର ରହିଛି। ତେବେ ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଥାନା ଇଲାକାରେ ଜୁଆ ଖେଳ ବିରୋଧରେ ବ୍ୟାପକ ଧରପଗଡ଼ ଆରମ୍ଭ ହୋଇଛି। ସେ ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ, ବିଭିନ୍ନ ଥାନାର ପୋଲିସ ବାହିନୀ ଏବେ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଏହି କୁପ୍ରଥାକୁ ଯଥାସମ୍ଭବ ସାମିତ କରିବା ତଥା ସମ୍ଭାବ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ତତ୍ପରତା ଦେଖାଉଛନ୍ତି।

ସେହି କ୍ରମରେ ସୋମବାର ବୈଦ୍ୟନାଥପୁର ଥାନା ପୋଲିସ ଆଙ୍କୁଲି ଗଣେଶ ନଗରରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ୨୧ ଜଣଙ୍କୁ ଗିରଫ କରିବା ସହ ସେଠାରୁ ଜବତ କରିଛି ୪ ଲକ୍ଷ ୯୯ ହଜାର ୪୨୦ ଟଙ୍କା, ୨୩ଟି ମୋବାଇଲ୍ ଓ ୯ଟି ମୋଟର ସାଇକେଲ ଆଦି। ଚଳିତ ବର୍ଷ ଦଶହରା ପୂର୍ବରୁ ବ୍ରହ୍ମପୁରରେ ଏହା ସବୁଠାରୁ ବଡ଼ ଜୁଆ ଆଡ୍ଡା ଧରପଗଡ଼ ବୋଲି ଜଣାଯାଇଛି। ପୋଲିସ ଏଥିପାଇଁ ସନ୍ଦିଗ୍ଧ ତଥା ପୂର୍ବରୁ ଜୁଆ ଖେଳରେ ସମ୍ପୃକ୍ତ କିଛି ଯୁବକଙ୍କ ମୋବାଇଲ୍ ଟ୍ରାକ୍ କରିଥିଲା। ଜୁଆ ଆଡ୍ଡା ସମ୍ପର୍କରେ ସଠିକ ସୂଚନା ପାଇବା ପରେ ମାଡ଼ି ବସିଥିଲା ପୋଲିସ ବାହିନୀ। ୩ ଥାନାର ଥାନାଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଜୋରଦାର ତଥା ଯୋଜନାବଦ୍ଧ ଭାବେ ଧରପଗଡ଼ କରାଯାଇ ଥିଲା । ସହର ତଥା ଆଖପାଖ ଅଞ୍ଚଳରେ ଏଭଳି କେଉଁଠି ଜୁଆ ଆଡ୍ଡା ଚାଲୁଛି, କିଏ ଏଥିରେ ସମ୍ପୃକ୍ତ, କେଉଁମାନେ ଏହାର ବ୍ୟବସ୍ଥା କରୁଛନ୍ତି ସେସବୁ ସମ୍ପର୍କରେ ପୋଲିସ ତଥ୍ୟ ସଂଗ୍ରହ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ପାର୍ବଣ ଗହଳି ପୂର୍ବରୁ ଅପରାଧୀଙ୍କୁ ଜଗିବା ପାଇଁ ବ୍ରହ୍ମପୁର ପୋଲିସ ଯୋଜନା ପ୍ରସ୍ତୁତ କରିଥିଲା। ସହରକୁ ନାକାବନ୍ଦୀ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର ଏସ୍‌ପି। ସହରର ପ୍ରବେଶପଥ ଉପରେ କଡ଼ା ନଜର ରଖିବା ସହ ସଂଘବଦ୍ଧ ହୋଇ ଅପରାଧୀକ କାର୍ଯ୍ୟକଳାପ ଘଟାଇବା, ଜୁଆ ଆଡ୍ଡା, ମଦ୍ୟପାନ କରି ବେନିୟମ କାର୍ଯ୍ୟ ଆଦି ଉପରେ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଥିଲା। ସେହିପରି ଦଶହରା ମାମୁଲି ଆଳରେ ଜୋରଜବରଦସ୍ତ ଅର୍ଥ ଆଦାୟକୁ ରୋକଠୋକ୍ ବାରଣ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ୍ କରାଇ ଦେଇଥିଲେ ଏସପି। ସହର ଓ ଉପକଣ୍ଠରେ ଲୁଚାଛପାରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ନଜର ରଖି ପୋଲିସ ରୀତିମତ ଚଢ଼ଉ କରି ଆସୁଛି। ନିକଟରେ ଅନୁଷ୍ଠିତ ଅପରାଧ ସମୀକ୍ଷା ବୈଠକରେ ମଧ୍ୟ ସମସ୍ତ ଥାନାଧିକାରୀଙ୍କୁ ଏ ନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା।

ଗତ ୧୨ ତାରିଖରେ ଗୋଳନ୍ଥରା ଥାନା ବେତଝରି ଗ୍ରାମ ନିକଟ ଜଙ୍ଗଲରେ ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ଉ କରି ବ୍ୟାପକ ଅପମିଶ୍ରିତ ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ୧୮ ତାରିଖରେ ଗୋପାଳପୁର ଥାନା ପୋଲିସ ଗଉଞ୍ଜୁ ଗ୍ରାମ ବନ୍ଧ ହୁଡ଼ାରେ ଜୁଆ ଖେଳ ଉପରେ ଧରପଗଡ଼ କରି ୧୦୪୦୦ ଟଙ୍କା ଜବତ କରିବା ସହ ୪ ଜଣଙ୍କୁ ଧରିଥିଲା। ଓଡ଼ିଶା- ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଅନେକ ଗ୍ରାମରେ ପଡ଼ୋଶୀ ରାଜ୍ୟରୁ ଆସି କିଛି ବ୍ୟକ୍ତିବିଶେଷ ଜୁଆ ଆଡ୍ଡା ଜମାଇ ଖେଳ ଚଳାଉଥିବା ଅଭିଯୋଗ ହୋଇଛି। ଗାଡ଼ି, ସୁନା, ମୋବାଇଲ୍ ମଧ୍ୟ ଜୁଆ ଖେଳରେ ବନ୍ଧା ପକାଯାଉଛି। ତାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଳନ୍ଥରା ଥାନା ପୋଲିସ ସ୍ଵତନ୍ତ୍ର ସ୍କାଡ୍ ଗଠନ କରି ଧରପଗଡ଼ ଆରମ୍ଭ କରିଛି।

Comments are closed.