ଲଖିମପୁର ଖେରି ହିଂସାକାଣ୍ଡକୁ ବର୍ଷେ ପୂରିବା ସତ୍ତ୍ୱେ ମନ୍ତ୍ରୀ ଅଜୟ ମିଶ୍ର ପଦ ବଜାୟ ରଖିବା ଅପମାନଜନକ: କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର-ଖେରି ହିଂସାକାଣ୍ଡକୁ ଆଜି ବର୍ଷେ ପୂରିଥିବା ବେଳେ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି ଯେ ଲଖିମପୁର-ଖେରିକୁ ବର୍ଷେ ପୂରିଥିବା ସତ୍ତ୍ୱେ ଏହି ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଅଜୟ କୁମାର ମିଶ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପଦ ବଜାୟ ରଖିବା ଅପମାନଜନକ |

ରମେଶ ଆହୁରି କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ସହ ସଂଯୁକ୍ତ କିସାନ ମୋର୍ଚ୍ଚାର ସମସ୍ତ ଦାବିକୁ କଂଗ୍ରେସ ପୁଣି ସମର୍ଥନ କରୁଛି।

“ଆଜି ଲଖିମପୁର ଖେରୀ ହତ୍ୟାକାଣ୍ଡକୁ ଏକ ବର୍ଷ ପୂରିଛି। ବର୍ଷେ ତଳେ ଅନେକ ଚାଷୀଙ୍କୁ ମାରି ଦିଆଯାଇଥିଲା । ଏହି ଷଡଯନ୍ତ୍ରରେ ମୋଦୀ ସରକାରଙ୍କ ଜଣେ ମନ୍ତ୍ରୀ ସାମିଲ ଥିଲେ। ଆଜି ବି ସେ ମନ୍ତ୍ରିମଣ୍ଡଳର ସଦସ୍ୟ ଅଛନ୍ତି। ‘କଳା ଆଇନ’ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ହତ୍ୟା କରାଯାଇଥିଲା । ତଥାପି ଦୋଷୀ ମନ୍ତ୍ରୀ ନିଜ ପଦ ବଜାୟ ରଖିଛନ୍ତି । ଏହାଠାରୁ ଅପମାନଜନକ କିଛି ହୋଇନପାରେ ।”

ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଲଖିମପୁର-ଖେରିରେ ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରିଥିବା ଯଥେଷ୍ଟ ପ୍ରମାଣ ରହିଛି ବୋଲି ରମେଶ ଅଭିଯୋଗ କରିଛନ୍ତି ।

ରମେଶ ଦାବି କରିଛନ୍ତି, “ଭାରତ ଯୋଡୋ ଯାତ୍ରାର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ପାଇଁ ଅର୍ଥନୈତିକ ନ୍ୟାୟର ଦାବି ଉଠାଇବା। କୃଷକମାନଙ୍କୁ ଅର୍ଥନୈତିକ ନ୍ୟାୟ ଦେବାରେ ମୋଦୀ ସରକାର ବିଫଳ ହୋଇଛନ୍ତି … ମୋଦୀ ସରକାର କୃଷି କ୍ଷେତ୍ରରେ ଘରୋଇ କମ୍ପାନୀଗୁଡିକର ଭୂମିକା ବଢ଼ାଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ”

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩, ୨୦୨୧ରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଗସ୍ତକୁ ବିରୋଧ କରି ଚାଷୀମାନେ ଲଖିମପୁର-ଖେରିର ଟିକୁନିଆ ଗ୍ରାମରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ସେତେବେଳେ ହଠାତ୍ ଏକ କାର୍ ଦ୍ରୁତ ଗତିରେ ଆସି ସେମାନଙ୍କୁ ମଡ଼େଇ ଚାଲି ଯାଇଥିଲା । ଘଟଣାସ୍ଥଳରେ ଚାରି ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ହିଂସାରେ ଦୁଇ ବିଜେପି କର୍ମୀ ଏବଂ ଜଣେ ସାମ୍ବାଦିକଙ୍କ ସମେତ ଅନ୍ୟ ଚାରିଜଣଙ୍କର ମୃତ୍ୟୁ ଘଟିଥିଲା।

ହିଂସାରେ ନିହତ ବିକ୍ଷୋଭକାରୀ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରିଥିଲେ, ଯାହା ପରେ ସରକାର ପ୍ରତ୍ୟାହାର କରି ନେଇଥିଲେ। ଏହି ହିଂସା ମାମଲାରେ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ।

Comments are closed.