ଲୋକାର୍ପିତ ହେଲା ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର

ସମ୍ବଲପୁର: ସମ୍ବଲପୁର ସହରବାସୀଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଛି। ସହରର ଦ୍ବିତୀୟ ଫ୍ଲାଏଓଭର ଉଦଘାଟିତ ହୋଇଛି। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହାକୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ନାଉରୀ ନାଏକ, ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ପ୍ରମୁଖ ଯୋଗଦେଇ ଥିଲେ।

ସହରର ଫାଟକରୁ କଚେରୀ ଛକକୁ ସଂଯୋଗ କରୁଥିବା ୧୮୦୦ ମିଟର ଲମ୍ବ ଏହି ଫ୍ଲାଏଓଭର ବିଭିନ୍ନ କାରଣରୁ ନିର୍ମାଣରେ ବିଳମ୍ବ ହୋଇଥିଲା। ତେବେ, ଏହାର ଉଦଘାଟନ ହେବା ପରେ ଲୋକଙ୍କ ମଧ୍ଯରେ ଉତ୍ସାହ ଖେଳାଇ ଦେଇଛି।

ସମ୍ବଲପୁର ସହରର ବର୍ଦ୍ଧିତ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସହରର ଧୁଚୁରାପଡାରୁ କଚେରୀ ଛକ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। ଏହାପରେ ୧୮ଶହ ମିଟର ଲମ୍ବ ଏବଂ ୭ ମିଟର ଓସାର ବିଶିଷ୍ଟ ଏହି ଫ୍ଲାଏଓଭରର ନିର୍ମାଣ କାମ ଆରମ୍ଭ ହୋଇଥିଲା। କଟକର ପଣ୍ଡା ଇନଫ୍ରା କଂପାନି ଏହାର ନିର୍ମାଣ କାମ ହାତକୁ ନେଇଥିଲା। ତେବେ, ସହରର ମୁଖ୍ଯ ରାସ୍ତାରେ ନିର୍ମାଣ ହୋଇଥିବାରୁ ଏହାର ଜମି ଅଧିଗ୍ରହଣ ମୁଖ୍ଯ ସମସ୍ୟା ପାଲଟିବାରୁ ନିର୍ମାଣରେ ବିଳମ୍ବ ହୋଇଥିଲା। ଏପରିକି ବର୍ଷକ ତଳୁ ଏହାର ନିର୍ମାଣ ଶେଷ ହୋଇଥିଲେ ହେଁ ସର୍ଭିସ ରୋଡ ପାଇଁ ଉଦଘାଟନ ହୋଇପାରିନଥିଲା। ତେବେ ଜିଲ୍ଲାପାଳ ଅନନ୍ୟା ଦାସ ଯୋଗଦେବା ପରଠାରୁ ଜମି ସମସ୍ୟାର ସମାଧାନ ତ୍ବରାନ୍ବିତ ହୋଇଥିଲା। ଆଉ ଇତିମଧ୍ୟରେ ସର୍ଭିସ ରୋଡ ନିର୍ମାଣ ବି ଶେଷ ହୋଇ ଉଦଘାଟନ ହେବା ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି।

ଆଜିର ଉଦଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ଯରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳୀନିକାନ୍ତ ପ୍ରଧାନ ଓ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.