ପୋଷ୍ଟର ମାମଲାରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌, କହିଲେ ମୋତେ ବି ଗିରଫ କର

ନୂଆଦିଲ୍ଲୀ: ପୋଷ୍ଟର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ସରକାରଙ୍କ ଭାକ୍ସିନ ନୀତିକୁ ସମାଲୋଚନା କରି ଦିଲ୍ଲୀର ଅନେକ ସ୍ଥାନରେ କିଛି ପୋଷ୍ଟର ଲଗାଯାଇଥିଲା । ଏହି ମାମଲାରେ ଅନେକ ଲୋକଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଥିଲା ।

ପୋଷ୍ଟର ମାମଲାରେ ଗିରଫଦାରୀ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ରାହୁଲ । ପୋଷ୍ଟରରେ ଲେଖାଯାଇଥିବା ଶବ୍ଦକୁ ରାହୁଲ ଟ୍ୱିଟ୍ କରି ତାଙ୍କୁ ଗିରଫ କରିବା ପାଇଁ ମୋଦିଙ୍କୁ ଚାଲେଞ୍ଜ୍ କରିଛନ୍ତି ।

ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟରରେ ଲେଖାଯାଇଥିଲା – “ମୋଦିଜୀ ଆମ ପିଲାମାନଙ୍କ ଭାକ୍ସିନ୍ ବିଦେଶକୁ କାହିଁକି ପଠେଇଲେ?”

ରାହୁଲ ଆଜି ଏମିତି ହିଁ ଟ୍ୱିଟ୍ କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ଗିରଫ କରିବାକୁ ଚାଲେଞ୍ଜ କରିଛନ୍ତି ।

କୋଭିଡ୍ ପରିଚାଳନା ଏବଂ ଟିକା ନୀତିକୁ ନେଇ ରାହୁଲ ଆରମ୍ଭରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସିଛନ୍ତି । ଦିନକ ତଳେ ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଟିକା ନୀତି ଯୋଗୁଁ କୋଭିଡ୍‌ର ତୃତୀୟ ଲହରୀ ମଧ୍ୟ ପ୍ରଳୟ ରଚିବ ।

Comments are closed.