‘ଗଞ୍ଜାମ ଦର୍ଶନ’ ବସ୍ ସେବା ସମ୍ପ୍ରସାରିତ: ନୂଆ ୮ ରୁଟ୍‌, ୨୦ ପର୍ଯ୍ୟଟନ ସ୍ଥଳ ସାମିଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ତଥା ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଜିଲ୍ଲା ପ୍ରଶାସନ ତଥା ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ (ବିଡିଏ) ପରିଚାଳିତ ଗଞ୍ଜାମ ଦର୍ଶନ ବସ୍ ଏବେ ନୂଆ ରୂପରେ ପର୍ଯ୍ୟଟନ ବା ପରିଭ୍ରମଣ ପାଇଁ ଉଦ୍ଦିଷ୍ଟ ହେବ। ସାମୂହିକ ଭାବେ ବିଭିନ୍ନ ଟୁରିଷ୍ଟ ସ୍ପଟ୍ ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ନୂଆ କରି ୮ଟି ରୁଟ୍ ତଥା ୨୦ଟି ନୂତନ ପର୍ଯ୍ୟଟନସ୍ଥଳୀକୁ ଏହି ଯୋଜନାରେ ସାମିଲ କରାଯାଇଛି। ପର୍ଯ୍ୟଟନ ଋତୁରେ ଏହି ସମ୍ପ୍ରସାରିତ ବସ୍ ସେବା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ସହାୟକ ହେବା ଆଶା କରାଯାଉଛି।

ଗଞ୍ଜାମ ଜିଲ୍ଲାର ପ୍ରମୁଖ ୨୦ଟି ପର୍ଯ୍ୟଟନ ସ୍ଥଳ ବୁଲିବା ନିମନ୍ତେ ପ୍ରସ୍ତୁତ ହୋଇଛି ୮ଟି ପୃଥକ୍ ରୁଟ୍ ଚାର୍ଟ। ଏଥିପାଇଁ ଭିନ୍ନ ଦର ତାଲିକା ମଧ୍ୟ ଧାର୍ଯ୍ୟ କରାଯାଇଛି। ଏବେ ସିଟ୍ ହିସାବରେ ନୁହେଁ, ନିର୍ବାଚିତ ରୁଟ୍‌ରେ ଦିନକ ପାଇଁ ବୁକିଂ କରି ପାରିବେ ଆଗ୍ରହୀ ପର୍ଯ୍ୟଟକ। ନୂତନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସାମିଲ ହୋଇଛି ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାରେ ଥିବା ସାନଖେମୁଣ୍ଡି ବ୍ଲକର ଉଷ୍ଣପ୍ରସ୍ରବଣ ତପ୍ତପାଣି, ପାହାଡ଼ ଶୀର୍ଷରେ ବିଜେ ଚିକିଟି ବ୍ଲକ୍ ଅନ୍ତର୍ଗତ ବାଳକୁମାରୀ, ବ୍ରହ୍ମପୁର ସହର ଉପକଣ୍ଠ ମହୁରୀକାଳୁଆ, ବୁଗୁଡ଼ା ବ୍ଲକ୍ ନାଁକରା ଶୈବ ପୀଠ ବୁଦ୍ଧଖୋଲ ଓ ରାଜ୍ୟର ଦ୍ବିତୀୟ ଅର୍କ କ୍ଷେତ୍ର ଭାବେ ପରିଚିତ ବିରଞ୍ଚି ନାରାୟଣ ମନ୍ଦିର, ପୋଲସରା ବ୍ଲକ୍ ଅନ୍ତର୍ଗତ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର, ଗୋପାଳପୁର ବେଳାଭୂମି, ଜଳକ୍ରୀଡ଼ା ସୁବିଧା ସମ୍ପନ୍ନ ତାମ୍ପରା ହ୍ରଦ, ଭଞ୍ଜନଗର ପାର୍କ, ସେଠି ନିକଟରେ ଥିବା ବାଗଦେବୀ ମନ୍ଦିର ଓ ଏସିଆ ମହାଦେଶର ସପ୍ତମ ବୃହତ୍ ଶିବ ମୂର୍ତ୍ତି କୁହାଯାଉଥିବା ବେଲେଶ୍ବର ପୀଠ ଏବଂ ସନ୍ନିକଟସ୍ଥ ସାଇ ମନ୍ଦିର, ଗଞ୍ଜାମ ବ୍ଲକ୍ ସମୁଦ୍ର ତଟ ବାଲୁକା ଶର୍ଯ୍ୟାରେ ଭୂପତନ ଠାରୁ ତଳେ ଥିବା ବଟେଶ୍ୱର ପୀଠ, ସେହି ବ୍ଲକରେ ଥିବା ଐତିହାସିକ ପୋତାଗଡ଼, ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର, ବ୍ରହ୍ମପୁର କେନ୍ଦ୍ର ସ୍ଥଳରେ ଥିବା ରାମଲିଙ୍ଗମ୍ ପାର୍କ, ଖଲ୍ଲିକୋଟ ବ୍ଲକ୍ ନିର୍ମଳଝର ଓ ନାରାୟଣୀ ମନ୍ଦିର, ଗଜପତି ଜିଲ୍ଲାର ଖସଡ଼ା, ଜିରାଙ୍ଗ ପ୍ରମୁଖ ୨୦ଟି ପର୍ଯ୍ୟଟନ ସ୍ଥଳୀକୁ ନେଇ ୮ଗୋଟି ନୂଆ ରୁଟ୍ ଚୁଡ଼ାନ୍ତ କରାଯାଇଛି। ଏହି ସମସ୍ତ ସ୍ଥାନ ବୁଲିବା ପାଇଁ ବିଭିନ୍ନ ରୁଟ୍ ସକାଶେ ସର୍ବନିମ୍ନ ପ୍ୟାକେଜ୍ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

୨୦୨୧ ଡିସେମ୍ବର ୧୨ରେ ୨୭ ସିଟ୍ ବିଶିଷ୍ଟ ଗଞ୍ଜାମ ଦର୍ଶନ ବସ୍ ଉଦ୍‌ଘାଟିତ ହୋଇଥିଲା। ପର୍ଯ୍ୟଟନ ସ୍ଥଳ ବୁଲିଯିବା ପାଇଁ ‘ଗଞ୍ଜାମ ଦର୍ଶନ’ ସ୍ଵତନ୍ତ୍ର ବସ୍ ସେବା ଚଳାଚଳ କରିଥିଲା। ଉକ୍ତ ବସ୍ ପରିଚାଳନା ଦାୟିତ୍ବରେ ରହିଥିଲା ବିଡିଏ। ତାରାତାରିଣୀ ପୀଠ, ଜଉଗଡ଼, ନିର୍ମଳଝର, ବଟେଶ୍ୱର, ପୋତାଗଡ଼, ତାମ୍ପରା, ଗୋପାଳପୁର ଓ ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପ୍ରମୁଖ ସ୍ଥାନ ବୁଲିବା ପାଇଁ ସ୍ଥିର ହୋଇଥିଲା। ଏସବୁ ସ୍ଥାନ ବୁଲାଇବା ସହ ଚାନ୍ଦା, ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ସ୍ନାକ୍ସ ବନ୍ଦୋବସ୍ତ ହୋଇଥିଲା। ଜଣଙ୍କ ପିଛା ଟିକଟର ମୂଲ୍ୟ ୯୫୦ ଟଙ୍କା ରହିଥିଲା ତେବେ କିଛି କାରଣରୁ ଏହା ବନ୍ଦ ରହିଥିଲା। ଏବେ ନୂଆ ରୂପରେ ପୁଣି ସଡ଼କ କୁ ଓହ୍ଲାଇଛି ଗଞ୍ଜାମ ଦର୍ଶନ ବସ୍। ବିଡିଏ ସଚିବ ସମ୍ବିତ୍ ରାଉତ କହିଛନ୍ତି, ଶୀତଦିନରେ ସ୍ବତନ୍ତ୍ର ପ୍ୟାକେଜ୍ କରାଯାଇଛି। ରୁଟ୍ ପ୍ରସ୍ତୁତ ହେବା ପରେ ୧୫ ଦିନ ମଧ୍ୟରେ ବସ୍ ଦୁଇ ଥର ବୁକିଂ ହୋଇ ସାରିଛି। ଏହି ପ୍ୟାକେଜ୍‌ ଲୋକଙ୍କୁ ପସନ୍ଦ ଆସୁଛି।

Comments are closed.