ବାତ୍ୟାରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ, ୨୬ରେ ଲ୍ୟାଣ୍ଡଫଲ୍

‌ଭୁବନେଶ୍ୱର- ବାତ୍ୟାରେ ପରିଣତ ହୋଇଛି ବଙ୍ଗୋସସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହି ବାତ୍ୟାର ନାଁ ହେଉଛି ୟଶ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୨୬ ତାରିଖରେ ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ପବନ ବହିବ । ଉପକୂଳ ଅଂଚଳରେ ଘଂଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ପବନର ବେଗ ଘଂଟା ପ୍ରତି ୧୪୫ରୁ ୧୭୦ କିମି ରହିବ । ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ଘଂଟାପ୍ରତି ୧୮୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ବାତ୍ୟା ଦ୍ୱାରା ଉପକୂଳ ଓଡିଶାର ୮ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

Comments are closed.