୧୮-୪୪ ବୟସର ହିତାଧିକାରୀଙ୍କ ପାଇଁ ବଦଳିଲା ନିୟମ, ପଞ୍ଜିକରଣ ଦିନ ହିଁ ଦିଆଯିବ ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୮-୪୪ ହିତାଧିକାରୀଙ୍କ ପାଇଁ ଟିକାକରଣ ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏଣିକି ଏହି ବୟସ ବର୍ଗର ଲୋକ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ଦିନ ହିଁ ସେମାନଙ୍କୁ ଟିକା ଲାଗିବ । ଅର୍ଥାତ୍ ୧୮-୪୪ ହିତାଧିକାରୀଙ୍କୁ ଆଉ ଅନ୍ ଲାଇନ୍‌ରେ ସ୍ଲଟ୍ ବୁକ୍ କରିବାକୁ ପଡିବ ନାହିଁ । ଏବେ ଏହି ବୟସବର୍ଗର ହିତାଧିକାରୀ ଅଫ୍ ଲାଇନ୍‌ରେ ପଞ୍ଜିକରଣ କରିପାରିବେ । ତେବେ କେବଳ ସରକାରୀ ଟିକାଦାନ କେନ୍ଦ୍ରରେ ହିଁ ଅଫ୍ ଲାଇନ୍ ପଞ୍ଜିକରଣକୁ ଅନୁମତି ଦିଆଯାଇଛି । ଟିକା ଅପଚୟ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ମେ ୧ରୁ ୧୮-୪୪ ହିତାଧିକାରୀଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା । ଟିକାକେନ୍ଦ୍ରରେ ଭିଡ଼ କମାଇବା ପାଇଁ ଏହି ବୟସ ବର୍ଗର ହିତାଧିକାରୀଙ୍କ ପଞ୍ଜିକରଣ କେବଳ ଅନ୍ ଲାଇନ୍‌ରେ ସୀମିତ ରଖାଯାଇଥିଲା । ପରେ ଟିକା ପାଇଁ ସ୍ଲଟ୍ ମଧ୍ୟ ଅନ୍ ଲାଇନ୍‌ରେ ବୁକ୍ କରିବାକୁ ପଡୁଥିଲା । ଏବେ ଏହି ନିୟମ କୋହଳ କରାଯାଇଛି । କିଛି ଟିକାକେନ୍ଦ୍ରରେ ସ୍ଲଟ୍ ବୁକ୍ ହୋଇଥିବା ସତ୍ତ୍ୱେ ଟିକା ନେବାକୁ ଲୋକ ଆସୁନଥିବାରୁ ଟିକା ବଳକି ଯାଉଛି । ଟିକା ଅପଚୟ ରୋକିବା ପାଇଁ ୧୮-୪୪ ବୟସର ହିତାଧିକାରୀଙ୍କୁ ଏବେ ସରକାରୀ ଟିକାଦାନ କେନ୍ଦ୍ରରେ ପଞ୍ଜିକରଣ ସହ ସଙ୍ଗେ ସଙ୍ଗେ ଟିକା ଲଗାଇବାକୁ ଅନୁମତି ଦିଆଯାଇଛି ।

Comments are closed.