ପିଫା ବିଶ୍ବକପ୍: ଫ୍ରାନ୍ସ-ଆର୍ଜେଣ୍ଟିନା ଟାଇଟଲ୍ ଲଢ଼େଇ

ଦୋହା: ଫ୍ରାନ୍ସ କ୍ରମାଗତ ଦ୍ୱିତୀୟ ଥରପାଇଁ ପିଫା ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି । ବୁଧବାର ଅଲ୍ ବାୟଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ଵିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ହରାଇଛି। ଫ୍ରାନ୍ସ ଆସନ୍ତା ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ । ଅନ୍ୟପକ୍ଷରେ ସେମିଫାଇନାଲର ଦୁଇ ପରାଜିତ ଦଳ କ୍ରୋଏସିଆ ଓ ମରକ୍କୋ ମଧ୍ଯରେ ଶନିବାର ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହେବ।

ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ ଦେଇ କରିଥିବା ମରକ୍କୋ ବିପକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ଫ୍ରାନ୍ସ । ମ୍ୟାଚର ୫ମ ମିନିଟରେ ଥିଓ ହେର୍ନାଣ୍ଡେଜ ଗୋଲଦେଇ ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ । ଚଳିତ ବିଶ୍ବକପରେ ହେର୍ନାଣ୍ଡେଜ୍ ପ୍ରଥମ ଖେଳାଳି ଭାବେ ମରକ୍କୋ ବିପକ୍ଷରେ ଗୋଲ୍ ସ୍କୋର୍ କରିଥିଲେ । ପ୍ରଥମାର୍ଦ୍ଧରେ ଏହି ଗୋଟିକ ଗୋଲ୍ ହିଁ ହୋଇଥିଲା । ଏହାପରେ ଦ୍ବିତୀୟାର୍ଦ୍ଧରେ ଅର୍ଥାତ୍ ୭୯ତମ ମିନିଟରେ ଫ୍ରାନ୍ସ ଆଉ ଏକ ଗୋଲ୍ କରି ୨-୦ରେ ଅଗ୍ରଣୀ ହାସଲ କରିଥିଲା । ଦଳ ପକ୍ଷରୁ ରାନଡାଲ୍ କୋଲୋ ମୁଆନି ଏହି ଗୋଲ୍ ସ୍କୋର୍ କରିଥିଲେ । ମରକ୍କୋ ମ୍ୟାଚକୁ ଫେରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଫ୍ରାନ୍ସର ଗୋଲପୋଷ୍ଟ ଭେଦ କରିପାରିନଥିଲା ।

Comments are closed.