ବିହାର ପହଞ୍ଚିଲା ‘ପଠାନ୍’ ବିବାଦ, ଶାହରୁଖ ଓ ଦୀପିକାଙ୍କ ବିରୋଧରେ ମାମଲା

ମୁଜାଫରପୁର: ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ୍’ର ପିଛା ଛାଡୁନି ବିବାଦ । ଏହି ଫିଲ୍ମର ଗୀତ ‘ବେସରମ ରଙ୍ଗ..’ରେ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଦର୍ଶାଇ ବିହାରର ମୁଜାଫରପୁରର ଏକ କୋର୍ଟରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଅନ୍ୟମାନଙ୍କ ବିରୋଧରେ ଏକ ଅଭିଯୋଗ ପିଟିସନ ଦାଖଲ କରାଯାଇଛି ।

ମୁଜାଫରପୁରର ଜଣେ ଆଇନଜୀବୀ ସୁଧୀର ଓଜା ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଦୀପିକା ପାଦୁକୋନ, ଆଦିତ୍ୟ ଚୋପ୍ରା, ଜନ୍ ଆବ୍ରାହମ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଏହି ଅଭିଯୋଗ ଦାଖଲ କରିଛନ୍ତି। ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଏମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଓଜା ଦାବି କରିଛନ୍ତି ।

ମୁଜାଫରପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ଉକ୍ତ ଅଭିଯୋଗ ରୁଜୁ କରିବା ପରେ
ଓଜା ଗଣମାଧ୍ୟମକୁ କହିଛନ୍ତି ଯେ “ପଠାନ ଫିଲ୍ମରୁ ‘ବେସରମ ରଙ୍ଗ’ ଗୀତ ଆପତ୍ତିଜନକ ଏବଂ ଏହା ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି। ଜାନୁଆରୀ ୩, ୨୦୨୩ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ପୂର୍ବରୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ମଧ୍ୟ ପଠାନ ଫିଲ୍ମକୁ ବିରୋଧ କରାଯାଇଥିଲା । ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି ହୋଇଛି । ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ ‘ବେସରମ ରଙ୍ଗ’ ଗୀତରେ ଦୃଶ୍ୟ ଓ ଦୀପିକାଙ୍କ କଷ୍ଟ୍ୟୁମ ନ‌ ବଦଳାଇଲେ ଫିଲ୍ମକୁ ତାଙ୍କ ରାଜ୍ୟରେ ରିଲିଜ୍ କରିବାକୁ ଦିଆଯିବ ନାହିଁ ।

Comments are closed.