ଫିଫା ବିଶ୍ୱକପ: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଟାଇଟଲ୍ ଲଢେଇ

ଦୋହା: ଫିଫା ବିଶ୍ୱକପ ୨୦୨୨ର ଗ୍ରାଣ୍ଡ ଫାଇନାଲ ପାଇଁ କ୍ଷେତ୍ର ପ୍ରସ୍ତୁତ । ଦୋହାର ଲୁସେଲ ଷ୍ଟାଡିୟମରେ ରବିବାର ଟାଇଟଲ ଲଢେଇରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ଦଳ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ଉଭୟ ଦଳ ପୂର୍ବରୁ ଦୁଇଥର ଟାଇଟଲ ଜିତିଛନ୍ତି । ଏବେ ତୃତୀୟ ଥର ବିଶ୍ୱ ବିଜେତା ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଆର୍ଜେଣ୍ଟିନା ଓ ଫ୍ରାନ୍ସ ।

ଫ୍ରାନ୍ସ ହେଉଛି ଡିଫେଣ୍ଡିଂ ଚାମ୍ପିୟନ । ରୁଷରେ ୨୦୧୮ରେ ଅନୁଷ୍ଠିତ ଗତ ସଂସ୍କରଣରେ ଦ୍ୱିତୀୟ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଫ୍ରାନ୍ସ ୬୦ ବର୍ଷ ପରେ ପ୍ରଥମ ଦଳ ଭାବେ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଯଦି ଫ୍ରାନ୍ସ ଏଭଳି କରିବାରେ ସଫଳ ହୁଏ, ତେବେ ବ୍ରାଜିଲ ସହ ସମକକ୍ଷ ହେବ । ବ୍ରାଜିଲ ଶେଷ ଦଳ ଭାବେ ବିଶ୍ୱକପ ଟ୍ରଫି (୧୯୫୮ -୧୯୬୨) ବଜାୟ ରଖିଥିଲା । ତେବେ ଫ୍ରାନ୍ସର ଏହି ଲକ୍ଷ୍ୟ ପଥରେ ରହିଛି ଲଢୁଆ ଆର୍ଜେଣ୍ଟିନା ଓ ଏହାର ମହାନାୟକ ଲିଓନେଲ ମେସି ।

ଆର୍ଜେଣ୍ଟିନା ମଧ୍ୟ ତୃତୀୟ ବିଶ୍ୱକପ୍ ଟାଇଟଲ୍ ହାତେଇବା ପାଇଁ ବ୍ୟଗ୍ର । ଆର୍ଜେଣ୍ଟିନା ପୂର୍ବରୁ ୧୯୭୮ ଓ ୧୯୮୬ରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ଏବେ ଦଳକୁ ଦୀର୍ଘ ୩୬ ବର୍ଷର ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ସୁଯୋଗ ମିଳିଛି । ପୂର୍ବରୁ ୨୦୧୪ରେ ଏଭଳି ସୁଯୋଗ ହାତଛଡ଼ା କରିଥିବା ଆର୍ଜେଣ୍ଟିନା ଏଥର ଟାଇଟଲ ଜିତି ମେସିଙ୍କ ସ୍ୱପ୍ନ ସାକାର କରିବା ପାଇଁ ଚାହିଁବ । ଚଳିତ ବିଶ୍ୱକପ ଫାଇନାଲ ଆର୍ଜେଣ୍ଟିନା ଜର୍ସିରେ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ମେସି ପୂର୍ବରୁ ଘୋଷଣା କରିଛନ୍ତି । ଏହି ସୁପରଷ୍ଟାର ନିଜ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ମାଳ ମାଳ ଟ୍ରଫି ଓ ପୁରସ୍କାର ଜିତିଛନ୍ତି । ହେଲେ ଏହି ୩୫ ବର୍ଷୀୟ ସୁପରଷ୍ଟାରଙ୍କ ଟ୍ରଫି କ୍ୟାବିନେଟରେ ଫୁଟବଲ ଜଗତର ସବୁଠୁ ବଡ଼ ଟାଇଟଲ ବିଶ୍ୱକପ ନାହିଁ । ନିଜ ଶେଷ ମ୍ୟାଚରେ ସେ ଏହି ସମ୍ମାନଜନକ ଟାଇଟଲ ଜିତିବାକୁ ଚାହିଁବେ । ଯଦି ମେସି ତାଙ୍କର ଏହି ସ୍ୱପ୍ନ ସାକାର କରିବାରେ ସଫଳ ହୁଅନ୍ତି, ତେବେ ସେ ନିଜ ଦେଶର କିମ୍ବଦନ୍ତୀ ଡିଏଗୋ ମାରାଡୋନା ଓ ବ୍ରାଜିଲର ପେଲେଙ୍କ ସହ ସର୍ବକାଳୀନ ମହାନ ଖେଳାଳି ଭାବେ ଗଣାଯିବେ ।

ମେସିଙ୍କ ଏହି ଲକ୍ଷ୍ୟ ପଥରେ ପ୍ରତିବନ୍ଧକ ସାଜିପାରନ୍ତି ସମ୍ପ୍ରତି ବିଶ୍ୱ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି କିଲିୟାନ୍ ଏମ୍ବାପେ, ଯିଏକି ମାତ୍ର ୨୩ ବର୍ଷ ବୟସରେ ଗୋଟିଏ ବିଶ୍ୱକପ ଟାଇଟଲ୍ ଜିତିସାରିଛନ୍ତି ଓ କ୍ରମାଗତ ଦ୍ୱିତୀୟ ବିଶ୍ୱକପ୍ ଟ୍ରଫି ଜିତିବା ନିକଟତର ହୋଇଛନ୍ତି । ମେସିଙ୍କ ଭଳି ଏମ୍ବାପେ ମଧ୍ୟ ଚଳିତ ବିଶ୍ୱକପରେ ୫ଟି ଗୋଲ୍ ଦେଇଛନ୍ତି । ଫ୍ରାନ୍ସ ଯଦି ଟାଇଟଲ ବଜାୟ ରଖୁଛି, ତେବେ ଏମ୍ବାପେ ମଧ୍ୟ ଏକ କୀର୍ତ୍ତିମାନ ହାସଲ କରିବେ । ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ କ୍ରମାଗତ ବିଶ୍ୱକପ ଟାଇଟଲ ଜିତିବାର ବିରଳ ଗୌରବ ଅର୍ଜନ କରିବେ ।

ବିଶ୍ୱକପରେ ଉଭୟ ଦଳ ଏଯାବତ କେବଳ ୩ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ଆର୍ଜେଣ୍ଟିନା ଦୁଇଟି ଜିତିଥିବା ବେଳେ ଫ୍ରାନ୍ସ ଗୋଟିଏ ଜିତିଛି । ୨୦୧୮ ପୂର୍ବରୁ ଏହି ଦୁଇ ଦଳ ୧୯୩୦ ଓ ୧୯୭୮ ବିଶ୍ୱକପରେ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଥର ଆର୍ଜେଣ୍ଟନା ବିଜୟୀ ହୋଇଥିଲା । ୨୦୧୮ରେ କିନ୍ତୁ ଫ୍ରାନ୍ସ ବାଜି ମାରି ନେଇଥିଲା ।

Comments are closed.