ତୁଳସୀ ଗଛ ଉପାଡି ଦେବାରୁ ନିର୍ମମ ହତ୍ୟା, ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ତୁଳସୀଗଛ ଓପାଡ଼ି ଫିଙ୍ଗିଦେବାରୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ମୃତକଙ୍କ ପରିଚୟ ହେଉଛି ପ୍ରକାଶ ସେବକ । ସେ ଗୁଲାପଡ଼ା ଗାଁର ବାସିନ୍ଦା । ଏପରି ଘଟଣା ବିନିକା ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନା ମତେ ପାଣ୍ଡୁ ବେହେରାଙ୍କ ଘର ପାଖରେ ଗୋଟିଏ ତୁଳସୀ ଗଛକୁ ପ୍ରକାଶ ଓପାଡ଼ି ଫିଙ୍ଗି ଦେଇଥିଲେ । ଏଥିପାଇଁ ପାଣ୍ଡୁ ଉତ୍ୟକ୍ତ ହୋଇ ପ୍ରକାଶଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ପରେ ପ୍ରକାଶ ନଦୀରେ ଗାଧୋଇବା ବେଳେ ପାଣ୍ଡୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ନେଇ ଅଭିଯୁକ୍ତ ତାଙ୍କ ଘରେ ଛାଡ଼ିଦେଇଥଲେ । ପରେ ତାଙ୍କୁ ତୁରନ୍ତ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ଡାକ୍ତର ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଜାଣି ତାଙ୍କ ମା ବିନିକା ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ୍ ତଦନ୍ତ କରି ଫେରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚୁରା କରି କୋର୍ଟ ଚାଲାଣ କରିଛି । ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ସୋନପୁର କାରାଗାରକୁ ପଠାଯାଇଛି ।

Comments are closed.