ଶହେ ବର୍ଷର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ସ୍ଵପ୍ନ ଦେଖ: ୫୭ତମ ପ୍ରତିଷ୍ଠା ଦିବସରେ ଆହ୍ବାନ ଦେଲେ ବାଗ୍‌ଚି 

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଶହେ ବର୍ଷର ଶିକ୍ଷାନୁଷ୍ଠାନ କରିବା ପାଇଁ ସ୍ଵପ୍ନ ଦେଖିବାକୁ ହେବ। ବିଶ୍ଵବିଦ୍ୟାଳୟକୁ ବିଶ୍ବର ଶହେଟି ଶିକ୍ଷାନୁଷ୍ଠାନ ଭିତରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖି ଆଗେଇ ଯିବାକୁ ହେବ। ଶିକ୍ଷାନୁଷ୍ଠାନରେ ବଡ଼ ବଡ଼ କୋଠା ନୁହେଁ, ବରଂ ବୌଦ୍ଧିକ, ଆବେଗିକ ଓ ସ୍ମରଣୀୟ ବାତାବରଣ ରହିବା ଆବଶ୍ୟକ। ମଙ୍ଗଳବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥ ଭାବେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ ଏହି ଆହ୍ବାନ ଦେଇଛନ୍ତି।

ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ମୁଁ ନିଜେ କେହି ନୁହେଁ, ଲୋକମାନଙ୍କ ଯୋଗୁଁ ମୁଁ। କବିତା ହିଁ ମୋ ଜୀବନରେ ଦିଗ୍‌ଦର୍ଶନ ଦେଖାଇଥିଲା। କନ୍ଧମାଳର ନାରୀ ଲୋକ କବି ପଦ୍ମଶ୍ରୀ ପୂର୍ଣ୍ଣମାସି ଜାନି ବା ତାଡିସରୁ ବାଈଙ୍କୁ ‘ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ’ ଏବଂ ପାରଳାଖେମୁଣ୍ଡିର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗଞ୍ଜାମ ଜିଲ୍ଲା ଆସିକାର ନାଟ୍ୟକାର ମେଜର ରମାରମଣ ପାଢ଼ୀଙ୍କୁ ମାନପତ୍ର ସହ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ସମ୍ପ୍ରତି କିଟ୍ ବିଶ୍ବବିଦ୍ୟାଳୟ କୁଳପତି ଥିବା ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ବିଦ୍ବାନ ଛାତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ପି.ଜି କାଉନସିଲ୍ ଅଧ୍ୟକ୍ଷ ପି.କେ ମହାନ୍ତି ଅତିଥି ପରିଚୟ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ। ଡ. ସାରଦା ପ୍ରସାଦ ସାହୁ, ଡ. ସରିତା ଦାଶ, ଡ. ସମୀର ଭୋଇ, ଡ. ଶକ୍ତିରଞ୍ଜନ ଦାସ ମାନପତ୍ର ପାଠ କରିଥିଲେ।

Comments are closed.