ସମ୍ବଲପୁର ଶୀତଳଷଷ୍ଠୀ: ବିବାହ ବନ୍ଧନରେ ଦେବ ଦମ୍ପତ୍ତି

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀ ଅବସରରେ ଆଜି ରାତିରେ ଆରମ୍ଭ ହେଉଛି ଦେବ ଦମ୍ପତ୍ତିଙ୍କ ବିବାହ । ଆଜି ଦିନତମାମ ଉଭୟ ଶିବାଳୟ ଏବଂ କନ୍ୟା ପିତାମାତାଙ୍କ ଘରେ ବିଭିନ୍ନ ନୀତିକାନ୍ତି ଲାଗି ରହିଥିଲା । ଆଉ ସନ୍ଧ୍ୟା ପରେ ଡମ୍ବରୁଧର ଶିବ ବର ବେଶରେ ଏବଂ ମାତା ପାର୍ବତୀ ବଧୂ ବେଶରେ ସଜ୍ଜିତ ହୋଇ ବାହା ମଣ୍ଡପରେ ବିରାଜମାନ କରିଛନ୍ତି । ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହେଉଛି ବିବାହ । ଭୋରରେ ହାତଗଣ୍ଡି ପଡିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ସବୁ କମିଟିର ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ନୀତି ଶେଷ ହୋଇଥିଲା । ଆଉ ଆଜି ସକାଳେ ଗତବର୍ଷର କନ୍ୟା ପିତାମାତାଙ୍କ ଗଣ୍ଠଳି ଫିଟା ନୀତି ଶେଷ ହୋଇଥିଲା । ଏହାପରେ ମାତା ପାର୍ବତୀ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏବର୍ଷର କନ୍ୟା ପିତାମାତା ମାନେ ପୁଣି ମାଁଙ୍କୁ ନିଜ ଘରକୁ ପାଛୋଟି ନେଇଥିଲେ । କନ୍ୟାଘରେ ମାଁଙ୍କ ବିଭିନ୍ନ ନୀତି ସଂପନ୍ନ ହୋଇଥିଲା । ତୈଳାଭିଷେକ , ଗନ୍ଧଷଣ ଆଦି ନୀତି ପରେ ସନ୍ଧ୍ୟାରେ ମାଁ ବଧୁ ବେଶରେ ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇଥିଲେ । ଆଉ କନ୍ୟା ଘର ଲୋକେ ଅଶ୍ରୁ ଛଳ ଛଳ ନୟନରେ ମାଁଙ୍କୁ ପୁଣି ଆଣି ମନ୍ଦିର ପ୍ରାଙ୍ଗଣରେ ଥିବା ବାହା ବେଦୀରେ ବିରାଜମାନ କରାଇଥିଲେ ।

ସେହିପରି ଦେବ ଦେବ ମହାଦେବଙ୍କ ମଧ୍ୟ ମନ୍ଦିରରେ ରୁଦ୍ରାଭିଷେକ ଏବଂ ତୈଳାଭିଷେକ ଅନୁଷ୍ଠିତ ହୋଇଥିଲା । ଆଉ ରାତିରେ ଭଗବାନ ରୁଦ୍ରଙ୍କୁ ବରବେଶରେ ସଜ୍ଜିତ କରି ବାହା ମଣ୍ଡପକୁ ଅଣାଯାଇଥିଲା । ବିଳମ୍ବିତ ରାତିରେ ଆରମ୍ଭ ହେଉଛି ତେବ ଦମ୍ପତ୍ତିଙ୍କ ବିବାହ । ନନ୍ଦପଡାର ବାଲୁଙ୍କେଶ୍ଵର , ଝାଡୁଆପଡାର ଲୋକନାଥ ଏବଂ ମୁଦିପଡାର ଜାଗେଶ୍ଵର ବାବା ସମେତ ଅନ୍ୟ ସମସ୍ତ କମିଟିର ବିବାହ ଶାନ୍ତି ଶୃଙ୍ଖଳାର ସହ ସଂପୂର୍ଣ ଧର୍ମୀୟ ଭାବନା ମଧ୍ୟରେ ସଂପନ୍ନ ହୋଇଛି । ତେବେ , କରୋନ କଟକଣା ଯୋଗୁଁ ବରଯାତ୍ରୀ ଶୋଭାଯାତ୍ରା ଏବଂ ଯୁଗଳ ଦର୍ଶନ ଶୋଭାଯାତ୍ରା ବନ୍ଦ ରହିଛି ।

 

Comments are closed.