ଆଜିଠୁ ବିଶ୍ଵକପ ହକି : ୪୮ ବର୍ଷର ପଦକ ପ୍ରତୀକ୍ଷା ଅନ୍ତ ଲକ୍ଷ୍ୟରେ ଭାରତ, ସ୍ପେନ ବିପକ୍ଷରେ ଆରମ୍ଭ କରିବ ଅଭିଯାନ 

ଭୁବନେଶ୍ୱର – ହକିପ୍ରେମୀଙ୍କ ପ୍ରତୀକ୍ଷାର ହେବ ଅବସାନ । ଆଜିଠାରୁ ଖେଳାଯିବ ହକି ବିଶ୍ୱକପର ମ୍ୟାଚ । ପ୍ରଥମ ଦିନରେ ଖେଳାଯିବ ୪ଟି ମ୍ୟାଚ । କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ୨ଟି ଲେଖାଏଁ ମ୍ୟାଚ । ପ୍ରଥମ ଦିନରେ ଭାରତ ସ୍ପେନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ଆଉ ଏହି ମ୍ୟାଚ ରାଉରକେଲା ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ । ଇଂଲଣ୍ଡ, ସ୍ପେନ ଓ ୱେଲସ ସହ ଭାରତ ଗ୍ରୁପ ‘ଡି’ ରେ ସ୍ଥାନ ପାଇଛି । ବିଜୟ ସହ ଭାରତ ଅଭିଯାନ ଆରମ୍ଭ କରିବାକୁ ଚାହିଁବ । ୧୯୭୫ ମସିହା ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା । ଏହାପରଠାରୁ ଭାରତ କୈାଣସି ସଂସ୍କରଣରେ ପଦକ ହାସଲ କରିପାରିନାହିଁ । ୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପରେ ଭାରତ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା ।

ଏଥର ବିଶ୍ୱକପ ରେ ଭାଗ ନେଉଥିବା ୧୬ଟି ଦଳକୁ ୪ଟି ପୁଲରେ ଭାଗ କରାଯାଇଛି । ଗତଥରର ଚାମ୍ପିଅନ ତଥା ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ବେଲଜିୟମ, ତିନିଥରର ଚାମ୍ପିଅନ ଅଷ୍ଟ୍ରେଲିଆ, ତିନିଥରର ଚାମ୍ପିଅନ ନେଦରଲାଣ୍ଡସ, ଦୁଇଥରର ଚାମ୍ପିଅନ ଜର୍ମାନୀ ଟାଇଟଲ ଫେଭରିଟ ମଧ୍ୟରେ ଅଛନ୍ତି । ସର୍ବାଧିକ ୪ଥର ବିଶ୍ୱକପ ଜିଣିଥିବା ପାକିସ୍ତାନ ଏଥର ଯୋଗ୍ୟତା ହାସଲ କରିପାରିନାହିଁ । ଚିଲି ଓ ୱେଲସ ପ୍ରଥମ ଥର ପାଇଁ ହକି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଆଜି ପ୍ରଥମ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନ ଗୋଟାଏରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ଅପରାହ୍ନ ୩ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ କଳିଙ୍ଗରେ ଖେଳାଯିବ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଓ ୱେଲସ ମଧ୍ୟରେ ମ୍ୟାଚ ସଂଧ୍ୟା ୫ଟାରେ ଖେଳାଯିବ ।

Comments are closed.